ସର୍ବଦଳୀୟ ବୈଠକ ପରେ ଗୃହ ସ୍ୱାଭାବିକ: ରାଜସ୍ୱ ଓ ଅବକାରୀ ବିଭାଗର ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ଦିନର ଅଚଳାବସ୍ଥା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ତେବେ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ ପରେ ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଅସନ୍ତୁଷ୍ଟ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ପ୍ରତିବାଦ ଯୋଗୁ ଗୃହରେ ପୁଣି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଅବଶ୍ୟ ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପ୍ରୟାସ ପରେ ସର୍ବଦଳୀୟ ବୈଠକ ବସିଥିଲା ଓ ଗୃହ କାର୍ଯ୍ୟ ସ୍ୱାଭାବିକ ହେବାସହ ପ୍ରଥମଥର ପାଇଁ ୨ଟି ବିଭାଗର ବଜେଟ ଖର୍ଚ୍ଚଦାବି ଗୃହୀତ ହୋଇଛି।

୬ଦିନର ଅଚଳାବସ୍ଥା ପରେ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ ସ୍ୱାଭାବିକ ଭାବେ ଚାଲିଥିଲା। ପ୍ରଶ୍ନକାଳ ପରେ ଧାନକିଣା ପ୍ରସଙ୍ଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନକିଣା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ। କିନ୍ତୁ ଏହି ବିବୃତ୍ତିରେ ପୁରୁଣା କଥାର ପୁନରାବୃତ୍ତି ହୋଇଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ବସିଥିଲେ। ପରେ ବିଜେପି ସଦସ୍ୟମାନେ ଗୃହକୁ ଫେରି ମୁହଁରେ କଳାପଟି ପିନ୍ଧି ପ୍ରତିବାଦ ଜଣାଇଥିଲେ। ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଚଳାବସ୍ଥା ଏଡ଼ାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ବିଜେପି ସାମିଲ ହୋଇନଥିଲା। ଗୃହକୁ ଅଚଳକୁ ନେଇ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ବିଜେପି ଓ କଂଗ୍ରେସର ଗଣ୍ଡଗୋଳ ପାଇଁ ଗୃହ ଅଚଳ ହୋଇଛି। କଂଗ୍ରେସ ଓ ବିଜେପି ନିଜ ନିଜର ପ୍ରଚାରରେ ମାତିଛନ୍ତି।

ଆକ୍ଷେପ ଓ ପ୍ରତିଆକ୍ଷେପରେ ମାତିଛନ୍ତି। ସର୍ବଦଳୀୟ ବୈଠକ ଡକାଯାଇଥିଲେ ମଧ୍ୟ ବିଜେପି ଆସିଲା ନାହିଁ। ପ୍ରଥମାର୍ଦ୍ଧରେ ଏଭଳି ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ସମାନ ସ୍ଥିତି ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିଧାନସଭାର ଅଚଳାବସ୍ଥା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ସମସ୍ତ ସଦସ୍ୟ ଜନାଦେଶ ନେଇ ବିଧାନସଭାକୁ ଆସିଛନ୍ତି। ଲୋକଙ୍କ ସ୍ୱାର୍ଥ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛେ। ବହୁ ବିଷୟରେ ଆଲୋଚନା ବାକି ଅଛି, ବହୁତ ଉନ୍ନତିମୂଳକ କାମ ବିଷୟରେ ଆଲୋଚନା ମଧ୍ୟ ବାକି ଅଛି। ତେଣୁ ଗୃହ କାର୍ଯ୍ୟରେ ସହଯୋଗ ପାଇଁ ସେ ସମସ୍ତଙ୍କୁ ହାତଯୋଡ଼ି ନିବେଦନ କରିଥିଲେ। ବାଚସ୍ପତି ପୁଣିଥରେ ସର୍ବଦଳୀୟ ବୈଠକ ଡାକିଥିଲେ। ଆଉ ବୈଠକ ପରେ ଗୃହ ସ୍ୱାଭାବିକ ହୋଇଥିଲା।

ତା’ପରେ ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ୧୨୭୮ କୋଟି ୫୧ଲକ୍ଷ ୩୧ହଜାର କୋଟି ଟଙ୍କାର ଏବଂ ଅବକାରୀ ବିଭାଗର ୧୨୮କୋଟି ୬୦ଲକ୍ଷ ୭୮ହଜାର ଟଙ୍କାର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାପରେ ତାହା ଗୃହୀତ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।