ଗୃହ ଭିତରେ ଶାସକ ଦଳର ହଟ୍ଟଗୋଳ, ବିଧାନସଭା ଅଚଳ

ଗତକାଲି ଭଳି ଆଜି ମଧ୍ୟ ଗୃହରେ ପ୍ରଶ୍ନକାଳ,ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ଭବପର ହୋଇନି।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଗତକାଲିଠୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜିବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନି। ଆଜି ଗୃହ ଭିତରେ ଶାସକ ଦଳର ସଭ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ଚାଲିପାରିନି। ଧାନକିଣାରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିବାବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚଳାଇ ଦିଆଯିବ ନାହିଁ ବୋଲି ଶାସକ ଦଳ ଚେତାବନୀ ଦେଇଛି।

ଆଜି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଓ ଜିଦ୍ ଯୋଗୁ ଗୃହ ଆଜି ଚାଲିପାରିନି। ଗତକାଲି ଭଳି ଆଜି ମଧ୍ୟ ଗୃହରେ ପ୍ରଶ୍ନକାଳ,ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ଭବପର ହୋଇନି। ଚଳିତ ବଜେଟ ଅଧିବେଶନରେ ପ୍ରଥମଥର ପାଇଁ ଶାସକ ଦଳ ଗୃହକୁ ଅଚଳ କରିଛି।

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଧାନକିଣାରେ ହେଉଥିବା ଅବ୍ୟବସ୍ଥା ଦୂର କରିବା ଦାବିରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖରେ ବିଧାନସଭା ସଚିବଙ୍କ ଚେୟାର ଉପରେ ଛିଡ଼ା ହୋଇଥିବାବେଳେ ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସରକାର ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଚାଷୀ କାହିଁକି ହନ୍ତସନ୍ତ ହେବେ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଥିଲା।

ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିବାବେଳେ ମାର୍ଶାଲ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା। ତେବେ ବିରୋଧୀଙ୍କ ଏଭଳି ହଟ୍ଟଗୋଳବେଳେ ବିଜେଡି ସଦସ୍ୟମାନେ ନିଜ ସିଟରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ।

ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗତକାଲି ଯେଭଳି ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ସେ ଗୃହର ମର୍ଯ୍ୟାଦାହାନି କରିଛନ୍ତି । ତେଣୁ ସେ କ୍ଷମା ମାଗିବା ଉଚିତ । ଯେପର୍ଯ୍ୟନ୍ତ ସେ କ୍ଷମା ମାଗିନାହାନ୍ତି ସେପର୍ଯ୍ୟନ୍ତ ଗୃହକୁ ଚାଲିବାକୁ ଦିଆଯିବ ନାହିଁ।

ଶ୍ରୀମତୀ ମଲ୍ଲିକଙ୍କ ଏହି ମନ୍ତବ୍ୟ ପରେ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବିରେ ହଟ୍ଟଗୋଳ କରିବାପରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଅନୁରୂପ ପରିସ୍ଥିତି ଲାଗି ରହିଥିଲା । ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ନିଜ ନିଜ ଜିଦରେ ଅଟଳ ରହିଥିଲେ । ବାଚସ୍ପତି ପୁଣି ଗୃହକୁ ୪ଟା ୨ରୁ ୪ଟା ୧୭ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତା’ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସମାନ ସ୍ଥିତି ଲାଗି ରହିଥିଲା, ସେହି ହଟ୍ଟଗୋଳ ମଧ୍ୟରେ ଗୃହରେ ବିଲ୍ ଉପସ୍ଥାପିତ ହୋଇଥିଲା ଓ ବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଗୃହ ବାହାରେ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି ଯେ, ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀମାନେ ହଟ୍ଟଗୋଳ କରୁଛନ୍ତି । ଯାହାକି ବିଧାନସଭାରେ ପ୍ରଥମ ଘଟଣା। ତେଣୁ ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ବିଧାନସଭାକୁ ଏଭଳି ପରିଚାଳନା ହେବାକୁ ଦିଆଯିବ ନାହିଁ। ମନ୍ତ୍ରୀମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ ଓ ଧାରଣା ଦେବା ପବିତ୍ର ଗୃହର ଅମର୍ଯ୍ୟାଦା କରୁଛି। ମନ୍ତ୍ରୀ ନବ କିଶୋର ଦାସ, ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ର ଆସି ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଛନ୍ତି। ସେମାନେ ତୁରନ୍ତ କ୍ଷମା ମାଗନ୍ତୁ।

ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗୃହ ବାହାରେ କହିଥିଲେ ଯେ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଭୁଲ୍ ମାଗିବାର ପ୍ରଶ୍ନ ଉଠୁନି। ସଦସ୍ୟଙ୍କୁ ନିଲମ୍ବନ କରିବାର କ୍ଷମତା ସେମାନଙ୍କର ଅଛି। ସେମାନେ କରନ୍ତୁ। କିନ୍ତୁ ବିଧାୟକ ଶ୍ରୀ ପାଣିଗ୍ରାହୀ କିଛି ଭୁଲ କରିନାହାନ୍ତି। ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ କାର୍ଯ୍ୟ ପ୍ରତିବାଦରେ ସେ ଏହା କରିଛନ୍ତି।

ବିଜେପି ସଦସ୍ୟଙ୍କ ଯୁକ୍ତିକୁ କଂଗ୍ରେସ ମୁଖ୍ୟ ସଚେତକ ଶ୍ରୀ ବାହିନୀପତି ସମର୍ଥନ କରିବା ସହ ସେମାନେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁନାହାନ୍ତି ବୋଲି କହିଛନ୍ତି। ଚାଷୀମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରୁନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯେହେତୁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି, ତାଙ୍କ ଲୋକପ୍ରତିନିଧି ଭାବେ ଗୃହରେ ଅନୁରୂପ ପଦକ୍ଷେପ ସେ ନେଉଛନ୍ତି।

ଅବଶ୍ୟ ଶାସକ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଶ୍ରୀ ପାଣିଗ୍ରାହୀଙ୍କ ଗତକାଲିର କାର୍ଯ୍ୟ ପାଇଁ ସାରା ଦେଶରେ ଓଡ଼ିଶାର ନାଁ ଖରାପ ହୋଇଛି। ଲୋକପ୍ରତିନିଧିମାନେ ବିଧାନସଭା ଭିତରେ ଏଭଳି ଭୁଲ୍ ପରମ୍ପରା ସୃଷ୍ଟି କରିବା ଉଚିତ୍ ନୁହେଁ।

ସୂଚନାଯୋଗ୍ୟ, ଧାନକିଣାରେ ଅବ୍ୟବସ୍ଥା ନେଇ ବିରୋଧୀ ଦଳ ହଟ୍ଟଗୋଳ କରୁଥିବାବେଳେ ଗତକାଲି ଆତ୍ମହତ୍ୟା ଉଦ୍ୟମ କରି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସବୁ ମାଇଲେଜ୍ ନେଇଯିବା ପରେ ବିଜେଡି ଏଭଳି ପଦକ୍ଷେପ ନେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।