ଜେଲରୁ ବାହାରିବା ପାଇଁ ବାଟ ଖୋଜୁଛି ମାୟାବିନୀ ଅର୍ଚ୍ଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷୋହଳ ଷୋହଳଟି ଦଫାରେ ଛନ୍ଦି ହୋଇଥିବା ମାୟାବିନୀ  ଅର୍ଚ୍ଚନା ନାଗ୍ ଏବେ ଆଇନଜାଲରେ ପଡ଼ି ଛଟପଟ ହେବା ଆରମ୍ଭ କରିଛନ୍ତି। ହନିଟ୍ରାପ୍, ବ୍ଲାକମେଲ୍ ଓ ହତ୍ୟା ଧମକ ଭଳି ସଂଗୀନ ଦଫା ତାଙ୍କ ନାଁରେ ଲାଗିଛି। ଏଥିରୁ ଖସିବା ଓ ଜେଲରୁ ମୁକୁଳିବା ପାଇଁ ଅର୍ଚ୍ଚନା ଛାଟିପିଟି ହେଉଛନ୍ତି। ହେଲେ ତାଙ୍କୁ ଆଜି କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କୁ ସଂପୂର୍ଣ୍ଣ ଭାବେ ନିରାଶ ହେବାକୁ ପଡ଼ିଛି। କାରଣ ଭୁବନେଶ୍ୱର SDJMଙ୍କ କୋର୍ଟ ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଅର୍ଥାତ ଅର୍ଚ୍ଚନାଙ୍କୁ ଜାମିନ ମିଳିନି।

ଏସବୁ ଭିତରେ ଅର୍ଚ୍ଚନାଙ୍କର କଳାଧନ ଅର୍ଜିବାର ପନ୍ଥା ଓ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ଓଡ଼ିଶା ପୁଲିସ୍‌ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ତଦନ୍ତ ଦାୟିତ୍ୱ ଦେବାକୁ ଆବେଦନକାରୀ ଦାବି କରିଛନ୍ତି।

ରାଜଧାନୀର ଛାତି ଉପରେ ରହି ହନିଟ୍ରାପ, ବ୍ଲାକମେଲ୍, ହତ୍ୟା ଧମକ, ସମ୍ପତ୍ତି ଅର୍ଜିବା ପାଇଁ ଯୁବତୀଙ୍କୁ ମୋହରା ସଜାଇ ବଡ଼ବଡ଼ଇାଙ୍କୁ ଚୂନା ଲଗାଇବା କାମରେ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ। ସେଠାରୁ ତାଙ୍କୁ ମୁକ୍ତି ମିଳିବ ନା ତାଙ୍କୁ ସେହି ଜେଲରେ ରହିବାକୁ ପଡ଼ିବ, ସେନେଇ ଆରମ୍ଭ ହୋଇଛି ଆଇନଗତ ଲଢ଼େଇ। ଅର୍ଚ୍ଚନା ଜେଲରୁ ବାହାରିବା ପାଇଁ ପ୍ରଥମେ ଭୁବନେଶ୍ୱର SDJMଙ୍କ କୋର୍ଟରେ ଆବେଦନ କରିଥିଲେ। ଆଜି କୋର୍ଟ ଏହାର ଶୁଣାଣି କରିଥିଲେ ମଧ୍ୟ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଜାମିନ ଆବେଦନର କରି ଅର୍ଚ୍ଚନାଙ୍କ ଓକିଲଙ୍କ କହିଥିଲେ ଯେ ଅର୍ଚ୍ଚନାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଓ ଦଫା ଲାଗିଛି ତାହା ଯୁକ୍ତିଯୁକ୍ତ ନୁହେଁ। ତେଣୁ ତାଙ୍କୁ ଜାମିନରେ ଛଡ଼ାଯାଉ। ଏଥିସହ ଏହି ମାମଲାର କେସ୍ ଡାଏରୀ ମଗାଯାଉ ବୋଲି ଓକିଲ କହିଥିଲେ। କିନ୍ତୁ ସରକାରୀ ଓକିଲ କହିଥିଲେ ଯେ ଅର୍ଚ୍ଚନା ବିରୋଧରେ ୧୬ଟି ଦଫା ଲାଗିଥିବାବେଳେ ଆଇପିସି ଧାରା ୩୭୦, ୩୨୮ ଓ ଆଇଟି ଆକ୍ଟ ୬୬-E ଏବଂ ୬୭ ବି ଲାଗିଛି। ତେଣୁ ତାଙ୍କୁ ଜାମିନ୍ ଦିଆ ନ ଯାଉ। କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ସମ୍ଭବତଃ ଆସନ୍ତାକାଲି କୋର୍ଟ ଏ ସମ୍ପର୍କରେ ରାୟ ଦେଇ ପାରନ୍ତି।

କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାୟାବିସ୍ତାର କରିଥିବା ୩୦ ବର୍ଷିୟା ଅର୍ଚ୍ଚନାଙ୍କ ସହ ବଡ଼ବଡ଼ିଆଙ୍କ ସଂପୃକ୍ତି ଓ ତା’ସହ କଳାଧନ୍ଧାର ରହସ୍ୟ ପୁଲିସ ସାମ୍ନାକୁ ଆଣିବାକୁ ଅକ୍ଷମ ହେଉଛି। ଅର୍ଚ୍ଚନାଙ୍କ କଳାପେଡ଼ି ପ୍ରାୟ ସପ୍ତାହେଲାଣି ଖୋଲିଲାଣି। କିନ୍ତୁ କମିଶନରେଟ୍ ପୁଲିସ କେବଳ ନିରବତା ଅବଲମ୍ବନ କରୁଛି।  ପୁଲିସ ଅର୍ଚ୍ଚନାକୁ ନା ରିମାଣ୍ଡରେ ନେଉଛି ନା କଳାସାମ୍ରାଜ୍ୟ ପଛର କାହାଣୀକୁ ସାର୍ବଜନୀନ କରୁଛି। ପୁଲିସ୍‌ର ଏପରି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଛି। ଘଟଣାର ତଦନ୍ତ ଇଡି ଦ୍ୱାରା କରାଇବା ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଗୋଟିଏ ଆବେଦନ କରିଛି। ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଇଡି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ୍ ଡିଜି ଓ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।