ପାଣ୍ଡିଆନ୍‌ଙ୍କ ଘରକୁ ଗୋବର ଫିଙ୍ଗା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ IAS, IPS ଓ OAS ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ବାସଭବନ ଉପରକୁ ଗୋବର ମାଡ଼ କରିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଏଏସ୍‌, ଆଇପିଏସ୍‌ ଓ ଓଏଏସ୍‌ ସଂଘର କର୍ମକର୍ତ୍ତା ଭେଟିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏପରି ବୟାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ବାସଭବନ ଉପରକୁ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଗୋବର ମାଡ଼ କରିଥିଲେ। ଏପରିକି କ୍ୱାର୍ଟର୍ସ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ବିଜେପି କର୍ମୀଙ୍କ ଏପରି ଘଟଣାକୁ ନିନ୍ଦାକରି ଆଇଏଏସ୍‌, ଆଇପିଏସ୍‌ ଓ ଓଏଏସ୍‌ ସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏପରି ଘଟଣାକୁ ଗୁରୁତର ସହ ନେବାକୁ ସଂଘ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ସୂଚନା ସେବା ସଂଘ, ସଚିବାଳୟ ମୋଟରଯାନ ସେବା ସଂଘ ଓ ବିଭାଗୀୟ ମୁଖ୍ୟଦପ୍ତର କର୍ମଚାରୀ ସଂଘ କର୍ମକର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ ମଧ୍ୟ ସଚିବାଳୟରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା।