ରବୀନ୍ଦ୍ର ସାହୁ ନୟାଗଡ଼ ଜିଲ୍ଲାପାଳ, ୬ ଟ୍ରେନି ଆଇଏଏସଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇଏଏ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି ।  ୨୦୧୨ ବ୍ୟାଚ୍ ଆଇଏଏସ୍  ତଥା ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ବଦଳି କରି ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ ଆଇଏଏସ୍ ରବୀନ୍ଦ୍ର ନାଥ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାହୁ ଦୀର୍ଘଦିନ ଧରି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ରାଜ୍ୟ ସରକାରରେ ଯୁଗ୍ମ ସଚିବ ଭାବେ ସୁବିଧା ସୁଯୋଗ ପାଇବେ । ସେହିପରି ଓଏଏସରୁ ପଦୋନ୍ନତି ପାଇଥିବା ଆଇଏଏସ୍ ରବୀନ୍ଦ୍ର ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ସାହୁ ଦୀର୍ଘବର୍ଷ ଧରି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଆଇଏଏସ୍ ବୃନ୍ଦା ଡି ଏବେ ଅତିରିକ୍ତ ଭାବେ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ଏହି ଦାୟିତ୍ୱ ପୋମା ନେବା ପରେ ବୃନ୍ଦା କେବଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଓ ଖାଦ୍ୟ ନିରାପତ୍ତା କମିଶନର ଭାବେ କାର୍ଯ୍ୟ କରିବେ ।

ସେହିପରି ୨୦୧୯ ଓ ୨୦୨୦ ବ୍ୟାଚ୍ ଆଇଏଏସ ଅଫିସରଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିଛି । ୨୦୧୯ ବ୍ୟାଚ୍ ଆଇଏଏସ ଅଫିସରମାନେ ଏବେ ପ୍ରଶିକ୍ଷଣରେ ଥିବାବେଳେ ସରକାର ସେମାନଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୧୯ ବ୍ୟାଚ୍ ଆଇଏଏସ୍ ତଥା କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ବରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଭାବେ ବଦଳି କରାଯାଇଛି । ସେ ମଧ୍ୟ କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହେବାପରେ ୨୦୨୦ ବ୍ୟାଚ୍ ଆଇଏଏସ୍ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ସହ କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସେହିପରି ୨୦୨୦ ବ୍ୟାଚ୍ ଆଇଏଏସ୍ ଆଶୁତୋଷ କୁଲକର୍ଣ୍ଣୀଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତିମ ମିଳିଛି । ସେ ବ୍ରହ୍ମପୁର ସବଡିଭିଜିନ୍ ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ ଓ ଦାୟିତ୍ୱ ତୁଲାଇବେ ।

୨୦୨୦ ବ୍ୟାଚ୍ ଆଇଏଏସ୍ ମଧୁମିତାଙ୍କୁ ବାଲିଗୁଡ଼ା ଉପଜିଳ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେ ବାଲିଗୁଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ନିଜର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମାପ୍ତ କରିବା ପରେ ଏହି ନୂଆ ନିଯୁକ୍ତି ପାଇଛନ୍ତି ।

ପ୍ରଶିକ୍ଷଣ ସମାପ୍ତ ପରେ ୨୦୨୦ ବ୍ୟାଚ୍ ଆଇଏଏସ୍ ବେଦଭୂଷଣଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ଓ ସେ ଧର୍ମଗଡ଼ ଏଏନସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ସେହିପରି ୨୦୨୦ ବ୍ୟାଚ୍ ଆଇଏଏସ୍ ଚୱନ କୁନାଲ ମୋତିରାମଙ୍କୁ  ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେ ବାଲେଶ୍ୱର ମ୍ୟୁନିସପାଲଟିର କାର୍ଯ୍ୟନିବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।