କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଭୁବନେଶ୍ୱର ଏମ୍ସକୁ ମନୋନୀତ କଲା ଆଇସିଏମଆର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପୂର୍ବ ଭାରତରେ ବିଭିନ୍ନ ପ୍ରକାରର ଟିକା ଓ ଔଷଧର କ୍ଲିନିକାଲ୍ ପରୀକ୍ଷଣ ପାଇଁ ଏମ୍‌ସ ଭୁବନେଶ୍ୱରକୁ ମନୋନୀତ କରାଯାଇଛି। ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିଏମଆର ପକ୍ଷରୁ ଏମ୍‌ସ ଭୁବନେଶ୍ୱରକୁ କୁହାଯାଉଛି। ନୂଆବର୍ଷ ପୂର୍ବରୁ ଏହା ଏମ୍‌ସ ଭୁବନେଶ୍ୱର ପାଇଁ ଆଉ ଏକ ସଫଳତା।

ଏହି ପ୍ରକ୍ରିୟା ସମାପ୍ତ ହୋଇଗଲେ କୋଭିଡ ମହାମାରୀ ଭଳି ବିଷମ ପରିସ୍ଥିତି ସହ ଲଢ଼ିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ବ୍ୟବସ୍ଥା ଅନୁଯାୟୀ ଭୁବନେଶ୍ୱର ଏମ୍ସରେ ବିଭିନ୍ନ ପ୍ରକାରର ଟିକା, ଔଷଧ ସମେତ ବିଭିନ୍ନ ପ୍ରକାର ଚିକିତ୍ସା ସମ୍ପର୍କିକ ପରୀକ୍ଷା ନିରୀକ୍ଷା କରାଯିବ। ଯାହାକି ଜାତୀୟସ୍ତରରେ ରାଜ୍ୟର ନାମକୁ ମଧ୍ୟ ଉଜ୍ଜ୍ୱଳ କରିବ।

ଏମ୍‌ସ ଭୁବନେଶ୍ୱର ଅସ୍ଥିଶଲ୍ୟ (ଅର୍ଥୋପେଡିକ୍ସ)‌ ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡା ସୁଜିତ କୁମାର ତ୍ରିପାଠୀ ଏହି ବ୍ୟବସ୍ଥାରେ ପ୍ରମୁଖ ଆବେଦନକାରୀ ଥିଲେ। ତେବେ ଅନ୍ୟମାନଙ୍କ ମଧ୍ୟରେ ଡା ରଶ୍ମୀରଞ୍ଜନ ମହାନ୍ତି, ଡା ରିତୁପର୍ଣ୍ଣୋ ମାଇତି, ଡା ଆନନ୍ଦ ଶ୍ରୀନିବାସନ୍, ଡା ରଶ୍ମୀ ଦାଶ, ଡା ଅରବିନ୍ଦ ସିଂହ, ଡା ରାମଦାସ ବାଲାମୁର୍ଗନ୍‌ ଓ ଡା ସରୋଜ ମଜୁମଦାର୍‌ ପ୍ରମୁଖ ଚିକିତ୍ସକଙ୍କୁ ନେଇ ଏକ ବହୁମୁଖୀ ଗବେଷକଙ୍କ ଟିମ୍‌ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି।

ଏହି ପ୍ରକ୍ରିୟାରେ ଜଡ଼ିତ ସମସ୍ତଙ୍କୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ବର୍ତ୍ତମାନ ସମୟରେ ଦେଶର ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକ ସହିତ ଏମ୍‌ସ ଭୁବନେଶ୍ୱରକୁ ସମାନ ଭାବରେ ବିଚାର କରାଯାଉଥିବା ବେଶ୍‌ ହୃଦୟସ୍ପର୍ଶୀ କୁହାଯାଉଛି।

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶିକା ଡା ବି ଗୀତାଞ୍ଜଳି ଏହି ବ୍ୟବସ୍ଥାର ସୂତ୍ରଧର ସାଜିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପୂର୍ବରୁ ମଧ୍ୟ ଏମ୍‌ସ ଭୁବନେଶ୍ୱରରେ ମାଇକ୍ରୋବାୟୋମ୍, ମାଇକୋଲୋଜି, ବ୍ରେନ୍ ବ୍ୟାଙ୍କ, ଅତ୍ୟାଧୁନିକ ମଲିକୁଲାର କର୍କଟ ଗବେଷଣା ସୁବିଧା ତଥା ଡାକ୍ତରୀ ଶିକ୍ଷା ପରି ବିଭିନ୍ନ ଗବେଷଣାମୂଳକ କେନ୍ଦ୍ର ପ୍ରତିଷ୍ଠା ସରିଛି। ଆଗାମୀ ବର୍ଷ ଏମ୍‌ସ ଭୁବନେଶ୍ୱର ଆହୁରି ଅନେକ ଶୁଭ ଖବର ଆଣିବା ସହିତ ଜନସାଧାରଣଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।