ଚଳିତ ବଜେଟ ନୈରାଶ୍ୟ ଜନକ, ଚାଷୀଙ୍କୁ ପ୍ରତାରଣା: ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ ଓ ବଜେଟରେ କିଛି ନୂଆ ଘୋଷଣା ନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।
ବଜେଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ବଜେଟ ଯେତେବେଳେ ଆସେ ସାଧାରଣ ଲୋକମାନଙ୍କର ଗୋଟିଏ ଆକାଂକ୍ଷା ଥାଏ କି ଏହି ବଜେଟରେ ନୂଆ କ’ଣ ଅଛି ? ହେଲେ ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ। ବିଶେଷ ଭାବରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୃଷ୍ଟି କରିବା, ନୁଆ ଶିଳ୍ପ ଉଦ୍ୟୋଗୀ ତିଆରି କରିବା, ଜନଜାତି ବର୍ଗର ବିକାଶ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ପାଇଁ ଯୋଜନା, କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବଜେଟରେ କିଛି ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଭରପୁର ପ୍ରୟାସ କରାଯାଇଛି । ସେହିପରି କାଳିଆ ଯୋଜନାରେ ଅର୍ଥ କାଟ ହେଉଛି ଚାଷୀମାନଙ୍କ ପ୍ରତି ଏହି ବଜେଟର ସବୁଠାରୁ ବଡ଼ ପ୍ରତାରଣା । କାଳିଆ ଯୋଜନାରେ ଗତବର୍ଷ ରାଜ୍ୟ ସରକାର ୪୩ ଲକ୍ଷ ଚାଷିଙ୍କୁ ୫୧୧୮ କୋଟି ଟଙ୍କା ଦେଇଥିଲେ । ହେଲେ ଚଳିତ ବର୍ଷ ଏହାକୁ କମାଇ ୩୧୯୫ କୋଟି ଟଙ୍କା କରିଛନ୍ତି । ଏଥିରୁ ପ୍ରମାଣିତ ହେଉଛି ରାଜ୍ୟ ସରାକର ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନା ଆରମ୍ଭ କରିଥିଲେ । ରାଜ୍ୟ ସରକାର ଯେତିକି ଚାଷୀଙ୍କୁ ସାମିଲ କରିଥିଲେ ଏ ବର୍ଷ ସେଥିରୁ ୨୦ ଲକ୍ଷ ଚାଷୀମାନଙ୍କୁ ସେଥିରୁ ବଂଚିତ କରିବେ । ଏହି କମ୍ ଆବଂଟନ ପାଇଁ ପାଖାପାଖି ୨୦ ଲକ୍ଷ ଚାଷୀ କାଳିଆ ଯୋଜନାରୁ ବାଦ ପଡ଼ିବେ ।

ଏହା ଏକ ବଡ଼ ପ୍ରତାରଣା ବୋଲି ଶ୍ରୀ ନାଏକ କହିଛନ୍ତି । ରାଜ୍ୟ ସରକାର କୃଷି କ୍ଷେତ୍ର ପାଇଁ ୧୯୪୦୮ କୋଟି ଟଙ୍କା ଆବଂଟନ କରିଛନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ । ଜଳସେଚନ ଓ ସମବାୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର କମ ପରିମାଣର ଅର୍ଥର ପ୍ରାବଧାନ କରିଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ । ମୋଟାମୋଟି ଭାବେ ରାଜ୍ୟ ସରକାର ଚାଷୀମାନଙ୍କୁ ନିରାଶ କରିଛନ୍ତି ।

ପ୍ରତିବର୍ଷ ଭଳି ଏବର୍ଷ ବି ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ବ୍ୟୟ ବରାଦ କରିନାହାନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ ଓଡିଶାକୁ ମିଳିବାକୁ ଥିବା ୩୯୬୨ କୋଟି ଟଙ୍କାକୁ ଚତୁରତାର ସହିତ ବଜେଟ ଭାଷଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ମିଳିବ ବୋଲି କହିଛନ୍ତି । ସେହିପରି ରାଜ୍ୟ ସରକାର ଚଳିତ ବଜେଟରେ ସ୍ୱତନ୍ତ୍ର ଭାବେ ନ୍ୟୁଟ୍ରିସନ ବଜେଟ ଆଣିଛନ୍ତି । କହିଛନ୍ତି ଏପରି ବଜେଟ ଆଣିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ହେଲେ ଏହା ହେଉଛି ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କର ଯୋଜନା ।

ଚଳିତ କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ବ୍ୟାପକ ଅର୍ଥର ପ୍ରାବଧାନ କରିଛନ୍ତି । ରାଜ୍ୟର କିଛି ବାହାଦୁରୀ ନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି । ଚଳିତ ଆର୍ଥିକ ବର୍ଷର ବଜେଟକୁ ପେପରଲେସ୍ କରିବାର ଉଦ୍ୟମ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ‘ଫାଇଭ-ଟି’ ବର୍ତ୍ତମାନ ସମୟରେ ବହୁ ପଛରେ ଅଛି । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୧୪ ମସିହାରୁ ବିଧାନସଭା, ରାଜ୍ୟ ବଜେଟକୁ ଓ ରାଜ୍ୟ କ୍ୟାବିନେଟକୁ ପେପରଲେସ୍ କରିଥିଲେ । ଓଡିଶା ଏବେ କରୁଛି ବୋଲି ଶ୍ରୀ ନାଏକ କହିଛନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।