୬ ବର୍ଷରେ ଭିଜିଲାନ୍ସ ଜାଲରେ ୫୬୨ ସରକାରୀ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୬ବର୍ଷ ମଧ୍ୟରେ ରାଜ୍ୟର ମୋଟ ୫୬୨ଜଣ ସରକାରୀ କର୍ମଚାରୀ ଦୁର୍ନୀତି ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୨୦୧୫ ଜାନୁୟାରୀରୁ ୨୦୨୦ ଡିସେମ୍ବର ମାସ ମଧ୍ୟରେ ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।
ମାଲକାନଗିରି ବିଜେପି ବିଧାୟକ ଆଦିତ୍ୟ ମାଢ଼ୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି କର୍ମଚାରୀମାନଙ୍କର ମୋଟ ଅଚଳାଚଳ ସମ୍ପତ୍ତିର ପରିମାଣ ୬୨୬.୨୩କୋଟି ଟଙ୍କା ବୋଲି ଭିଜିଲାନ୍ସ ଆକଳନ କରିଛି। ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରୁ ୧୪ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ୫ଟି ମାମଲାରେ ଫାଇନାଲ ରିପୋର୍ଟ ଦାଖଲ ହୋଇଛି। ଏବେବି ୫୨୨ଟି ମାମଲାର ତଦନ୍ତ ଜାରି ରହିଛି। ସେମାନଙ୍କ ମଧ୍ୟରୁ ୩୪୪ଜଣଙ୍କ ନାଁରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆରମ୍ଭ ହୋଇଛି । ଯେଉଁ ସବୁ ସମ୍ପତ୍ତି ଜବତ ହୋଇଛି ସେଥିରୁ କିଛି ଅର୍ଥକୁ ବ୍ୟାଜ୍ୟାପ୍ତି କରାଯାଇଥିବାବେଳେ ଅନ୍ୟ କିଛି ଜାତୀୟକରଣ ବ୍ୟାଙ୍କରେ ‘ଡିପୋଜିଟ୍ ଆଟ କଲ’ ଆକାଉଣ୍ଟରେ ହୋଇଥିବାବେଳେ ବାକି ଅର୍ଥ ଅଭିଯୁକ୍ତଙ୍କ ହେପାଜତରେ ରଖାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।