ଗୁପ୍ତ ରଙ୍ଗଶାଳାରୁ ବ୍ଲାକମେଲର୍‌ ଅର୍ଚ୍ଚନା କେତେ ଟଙ୍କା ଇନ୍‌କମ୍‌ କରିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜଧାନୀରେ ଚାଲିଥିଲା ଗୁପ୍ତ ରଙ୍ଗଶାଳା। ଏହି ରଙ୍ଗଶାଳା ଖୋଲିଥିଲେ ବ୍ଲାକମେଲର ଅର୍ଚ୍ଚନା ନାଗ। ସେହି ରଙ୍ଗଶାଳାରେ ସିକ୍ରେଟ୍‌ କ୍ୟାମେରା ଖଞ୍ଜି ଶୁଟିଂ କରୁଥିଲା ବଡ଼ବଡ଼ିଆଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ତେବେ ଏଥିରୁ ଅର୍ଚ୍ଚନା କେତେ ଟଙ୍କା ଇନ୍‌କମ୍‌ କରିଛନ୍ତି? ରିଜର୍ଭ ବ୍ୟାଙ୍କ ଦେଇଥିବା ତଥ୍ୟ ଅନୁସାରେ ଗତ ୬ ମାସ ଭିତରେ ଅର୍ଚ୍ଚନାଙ୍କ ୫ଟି ଆକାଉଣ୍ଟରେ ୫ କୋଟିରୁ ଅଧିକ ଟଙ୍କା କାରବାର ହୋଇଛି।

ବ୍ଲାକମେଲର୍‌ ଅର୍ଚ୍ଚନା ରହୁଥିଲା ପଳାଶୁଣିରେ। କିନ୍ତୁ ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ। ଯେଉଁଠି ଅର୍ଚ୍ଚନା ଖୋଲିଥିଲା ଗୁପ୍ତ ରଙ୍ଗଶାଳା। ଆଉ ସେଇଠି ଅର୍ଚ୍ଚନା ପରିଚାଳନା କରୁଥିଲେ ତାଙ୍କ ସେକ୍ସଟୋରେସନ ସାମ୍ରାଜ୍ୟ। ସେହି ରଙ୍ଗଶାଳାରେ ଶିକାର ହେଉଥିଲେ ନେତା, ମନ୍ତ୍ରୀ, ଅଫିସର ଓ ବିଲ୍‌ଡର। ସୁନ୍ଦରୀ ଯୁବତୀଙ୍କ ସହ ଅସଂଯତ ହେବା ବେଳେ ପୂର୍ବରୁ ଅର୍ଚ୍ଚନା ବିଛାଇଥିବା ଜାଲରେ ଫସି ଯାଉଥିଲେ। ବଡବଡ଼ିଙ୍କ ଦୁର୍ବଳ ମୁହୂର୍ତ୍ତକୁ ଅତି ଚତୁରତାର ସହ ସିକ୍ରେଟ୍‌ କ୍ୟାମେରାରେ ଶୁଟିଂ କରି ନେଉଥିଲା ଅର୍ଚ୍ଚନା। ଏଥିପାଇଁ ବ୍ୟବହାର ହେଉଥିଲା ଚାବି ରିଙ୍ଗ, ଭ୍ୟାନିଟି ଓ ବଲ୍‌ବରେ ସେଟ୍‌ ହୋଇଥିବା ସ୍ପାଏ କ୍ୟାମେରା। ଯାହା ସମ୍ପର୍କରେ ଟେର ମଧ୍ୟ ପାଉନଥିଲେ ରଙ୍ଗଶାଳାକୁ ଆସୁଥିବା ଅତିଥି।

ସେପଟେ ଗୁପ୍ତରେ ଭିଡିଓ ଶୁଟ୍‌ ପରେ ବ୍ଲାକମେଲିଂ ଆରମ୍ଭ କରୁଥିଲା ଅର୍ଚ୍ଚନା। ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ଫଟୋ ମେସେଜ୍‌ ପଠାଇ ଡିଲ୍‌ ସହ ମୁଲଚାଲ ମଧ୍ୟ କରୁଥିଲା। ମୋଟା ଅଙ୍କର ଅର୍ଥ ଦାବି କରୁଥିଲା। ଅର୍ଥ ନମିଳିଲେ ସଂପୃକ୍ତ ଯୁବତୀଙ୍କୁ ମୋହରା କରି ଥାନାରେ ଏତଲାର ଦେବାର ଧମକ ଦେଉଥିଲା ଅର୍ଚ୍ଚନା। ଆଉ ତା’ପରେ ଅର୍ଚ୍ଚନାଙ୍କ ଡିଲ୍‌ରେ ରାଜି ହୋଇ ମୋଟା ଅଙ୍କର ଟଙ୍କା ଦେଉଥିଲା ବଡ଼ବଡ଼ିଆ। ଏଥିସହ ଏକ ଏଗ୍ରିମେଣ୍ଟ କରୁଥିଲା ଅର୍ଚ୍ଚନା।

ଅନ୍ୟପକ୍ଷରେ ସେକ୍ସଟୋରେସନରୁ ଅନୈତିକ ଉପାୟରେ ଅଜଶ୍ର ଟଙ୍କା ରୋଜଗାର କରିଥିବା ଅନୁମାନ କରାଯାଉଥିବାରୁ ଅର୍ଚ୍ଚନାର ଆକାଉଣ୍ଟରେ କେତେ ଟଙ୍କା କାରବାର ହୋଇଛି? ତାହା ଜାଣିବା ପାଇଁ ପୁଲିସ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଥିଲା। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଚ୍ଚନାର ୫ଟି ଆକାଉଣ୍ଟ ସମ୍ପର୍କରେ ପୁଲିସକୁ ତଥ୍ୟ ଦେଇଛି। ଗତ ୬ ମାସ ଭିତରେ ଏସବୁ ଆକାଉଣ୍ଟରେ ୫ କୋଟିରୁ ଅଧିକ କାରବାର ହୋଇଥିବା ସୂଚନା ପାଇଛି କମିଶନରେଟ୍‌ ପୁଲିସ। କିଛି ମାସ ତଳେ ନୟାଗଡ଼ର ଜଣେ ଯୁବ ବ୍ୟବସାୟୀ ୫୦ ଲକ୍ଷ ଟଙ୍କା ଦେଇଥିବା ତଥ୍ୟ ମଧ୍ୟ ସାମନାକୁ ଆସିଛି। ତେବେ ସେ ବ୍ୟକ୍ତି ଜଣକ କିଏ? ସେ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।