ନିବେଶକ ସମ୍ମିଳନୀ: ବିବାଦୀୟ ଶିଳ୍ପମନ୍ତ୍ରୀଙ୍କୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ ଆସନ୍ତା ୧୭ତାରିଖରେ ଫିକ୍କି ସହଯୋଗରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିବେଶକମାନଙ୍କୁ ସାକ୍ଷାତ ଏବଂ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ସେକ୍ସ ସ୍କାଣ୍ଡାଲରେ ବିବାଦୀୟ ହୋଇପଡ଼ିଥିବା ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

ମିଳିଥିବା ସୂଚନା ଅନୁସାରେ, ସେକ୍ସ ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗ ଗିରଫ ହେବା ପରଠୁ ତାଙ୍କ ସହ ସମ୍ପର୍କରେ ଥିବା ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ ଡେମୋକ୍ଲିସ୍ ଖଡ଼ଗ ଝୁଲିବାରେ ଲାଗିଛି । ଧାମନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳର ଇଙ୍ଗିତରେ ଏହି ତଦନ୍ତ ପ୍ରକ୍ରିୟା ଏବେ ଧିମେଇ ଯାଇଥିଲେ ମଧ୍ୟ ସେକ୍ସ ସ୍କାଣ୍ଡାଲରେ ଯେଉଁ ନେତାମାନଙ୍କ ସମ୍ପୃକ୍ତିର ଅଭିଯୋଗ ଆସୁଛି, ସେମାନେ କେହି ବି କ୍ୟାମେରା ସମ୍ମୁଖରେ ଏହାକୁ ଖଣ୍ଡନ କରୁନଥିବା ଦେଖାଦେଇଛି ।

ରାଜ୍ୟ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସହ ସେକ୍ସ କୁଇନ୍ ଅର୍ଚ୍ଚନାଙ୍କ କଥାବାର୍ତ୍ତାର ଏକ ଅଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବାକୁ ଆଧାର କରି କଂଗ୍ରେସ ତାଙ୍କର ଇସ୍ତଫା ଦାବି କରି କୁଶ ପୁତ୍ତଳିକା ଦାହ କରିବା ପରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ ଗଣମାଧ୍ୟମଠୁ ଦୂରେଇ ରହିଛନ୍ତି । ଅର୍ଚ୍ଚନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ ନିଜ ଆଡ଼ୁ ସଫେଇ ମଧ୍ୟ ଦେଉ ନଥିବାରୁ ତାଙ୍କ ପ୍ରତି ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି । କେବଳ ପ୍ରତାପ ଦେବ ନୁହଁନ୍ତି , ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ରହିଥିବା ସମସ୍ତଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ କମିଶନରେଟ ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିବା ଜଣାପଡ଼ିିଛି । ଏହାର ଅଧିକ ସତ୍ୟାସତ୍ୟ ଜାଣିବା ନିମନ୍ତେ ସେସବୁ ଭିଡ଼ିଓ-ଅଡ଼ିଓ ଓ ଫଟୋଚିତ୍ରର ଯାଂଚ କାର୍ଯ୍ୟ ମଧ୍ୟ କମିଶନରେଟ ପୁଲିସ ଶେଷ କରିଥିବା ସୂଚନା ମିଳିଛି ।

ଏହି କାରଣରୁ ବିବାଦୀୟ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବଙ୍କୁ ହାଇଦ୍ରାବାଦରେ ୧୭ତାରିଖରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ମଂଚ ଶେୟାର କରାଇବାକୁ ତୃତୀୟ ମହଲା ଚାହୁଁନଥିବା ଜଣାପଡ଼ିଛି । ସେହିପରି ହାଇଦ୍ରାବାଦସ୍ଥିତ ବିଜେପି ସମର୍ଥିତ ଓଡ଼ିଆ ସଂଗଠନ ପକ୍ଷରୁ ସେକ୍ସ ସ୍କାଣ୍ଡାଲରେ ବିବାଦୀୟ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବଙ୍କୁ ବିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ତା’ଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ଅକ୍ଟୋବର ୧୬ରେ ହୋଇଥିବାବେଳେ ସେ ଉକ୍ତଦିନ ହାଇଦ୍ରାବାଦ ଗସ୍ତ କରୁଥିବାରୁ ସେଠାରେ ତାଙ୍କୁ ଓଡ଼ିଆ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏସବୁକୁ ଦୃଷ୍ଟିରେ ରଖି ହାଇଦ୍ରାବାଦରେ ହେବାକୁ ଥିବା ନିବେଶକ ସମ୍ମିଳନୀରୁ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କୁ ଦୂରେଇ ରଖାଯାଇ ପାରେ ବୋଲି ତାଙ୍କ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୁରରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ସାମିଲ ଥିଲେ।

ସୂଚନାଯୋଗ୍ୟ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସନ୍ଦେହଜନକ ଭୂମିକାକୁ ନେଇ ଅଭିଯୋଗ ହେବା ପରେ ତାଙ୍କଠୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦୂରତ୍ୱ ରକ୍ଷା କରିଥିବାବେଳେ ସାଂଗଠନିକ ଦାୟିତ୍ୱରୁ ତାଙ୍କୁ ମୁକ୍ତ କରିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।