ଆଇଓସିଏଲ ସମାରୋହ ପ୍ରଚାର ବିବାଦ: ଜଗତସିଂହପୁର ଜିଲ୍ଲାପାଳଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ଲୋକ ସମ୍ପର୍କ ସଚିବ

ଜଗଜସିଂହପୁର: ଆଇଓସିଏଲର ପ୍ରଚାର ଗାଡିରେ କେନ୍ଦ୍ରୀୟ ଯୋଜନାର ପ୍ରଚାରକୁ ନେଇ ଅଭିଯୋଗ ଆସିବା ପରେ ଲୋକ ସମ୍ପର୍କ ସଚିବ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ପାରାଦୀପ ରିଫାଇନାରୀ ଲୋକାର୍ପଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଗସ୍ତ ପୂର୍ବରୁ ୩୦ଟି ଜିଲ୍ଲାକୁ ଗଡିଥିବା ପ୍ରଚାର ଗାଡି ଓ ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟରରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଫଟୋକୁ ନେଇ ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ ଆପତ୍ତି ଉଠାଇଥିଲେ। ପାରାଦ୍ୱୀପ ବିଧାୟକ ତଥା ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏହା ଆଇଓସିଲରର ଅଶାଳୀନତା ବୋଲି କହିଥିଲେ। ସେହିପରି ଫେବୃୟାରୀ ୭ ତାରିଖରେ ହେବାକୁ ଥିବା ଅଏଲ ରିଫାଇନାରୀ ଲୋକାର୍ପଣ ପାଇଁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟରକୁ ନେଇ ପର୍ଯ୍ୟଟନ ମନ୍ତ୍ରୀ ଆପତ୍ତି ଉଠାଇଥିଲେ। ଏହା ବିଜ୍ଞାପନ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀଙ୍କର ଫଟୋ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରୁଥିବା ସେ ଦର୍ଶାଇ ଥିଲେ।

ଗତକାଲି ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ, ଶାଳୀନତା ଦୃଷ୍ଟିରୁ ଆଇଓସିଏଲ ଏପରି ପ୍ରଚାର କରିବା ଉଚିତ ନୁହେଁ। କେନ୍ଦ୍ର ଓ ରାଜ୍ୟର ସମ୍ପର୍କ କ’ଣ ଯେଉଁମାନଙ୍କର ସମ୍ୟକ ଜ୍ଞାନ ନାହିଁ। ସେମାନେ ଏଭଳି ଆଚରଣ ପ୍ରଦର୍ଶନ କରନ୍ତି। ଏହା ଏକ କେନ୍ଦ୍ରୀୟ ଯୋଜନା ହେଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟୋଗ ବୋଲି ଧରିବାକୁ ହେବ। ସେ ଏକ ତରଫା ଏମିତି ପ୍ରଚାର କରିବା ଶାଳୀନତା ବିରୋଧୀ।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ରାଜ୍ୟରେ କେନ୍ଦ୍ର ସରକାରୀଙ୍କ ବହୁ ଉଦ୍ୟୋଗ କ୍ଷତିରେ ଚାଲୁଛି। ତୈଳ ବିଶୋଧନାଗାର ଲୋକାର୍ପାଣ ନାମରେ ପ୍ରଚାର ଉଦ୍ୟମ ହେଉଛି। ତୈଳ ବିଶୋଧନାଗାର ଟଙ୍କାରେ ଏପରି ପ୍ରଚାର କରାଯିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ ଉଠାଇଥିଲେ।

ଏପରି ଅଭିଯୋଗ ଆସିବା ପରେ ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଥିଲେ, କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ସାଧରଣ ଲୋକଙ୍କୁ ସଚେତନତା କରାଇବା ପାଇଁ ଏପରି ପ୍ରଚାର କରାଯାଉଛି। ଏଥିରେ କିଛି ରାଜନୀତି ହେଉନାହିଁ। ବିଜେଡି ପକ୍ଷରୁ ଯେଉଁ ଅଭିଯୋଗ କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା।