ଆଇଓସିଏଲର ପ୍ରଚାର ଗାଡିରେ କେନ୍ଦ୍ରୀୟ ଯୋଜନାର ପ୍ରଚାର ନେଇ ଜୋର ଧରିଲା ରାଜନୀତି

ଭୁବନେଶ୍ୱର: ଆଇଓସିଏଲର ପ୍ରଚାର ଗାଡିରେ କେନ୍ଦ୍ରୀୟ ଯୋଜନାର ପ୍ରଚାରକୁ ନେଇ ଜୋର ଧରିଛି ରାଜନୀତି। ପାରାଦୀପ ରିଫାଇନାରୀ ଲୋକାର୍ପଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଗସ୍ତ ପୂର୍ବରୁ ୩୦ଟି ଜିଲ୍ଲାକୁ ଗଡିଥିବା ପ୍ରଚାର ଗାଡି ଓ ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟରରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଫଟୋକୁ ନେଇ ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ ଆପତ୍ତି ଉଠାଇଛନ୍ତି। କେନ୍ଦ୍ରୀୟ ଯୋଜନାର ପ୍ରଚାର ପାଇଁ ଆଇଓସିଏଲ ମାଧ୍ୟମ ହୋଇଥିବାରୁ ଏହାକୁ ହଜମ କରିପାରିନାହାଁନ୍ତି ଏହି ମନ୍ତ୍ରୀ ଦ୍ୱୟ। ପାରାଦ୍ୱୀପ ବିଧାୟକ ତଥା ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏହା ଆଇଓସିଲରର ଅଶାଳୀନତା ବୋଲି କହିଛନ୍ତି। ସେହିପରି ଫେବୃୟାରୀ ୭ ତାରିଖରେ ହେବାକୁ ଥିବା ଅଏଲ ରିଫାଇନାରୀ ଲୋକାର୍ପଣ ପାଇଁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟରକୁ ନେଇ ପର୍ଯ୍ୟଟନ ମନ୍ତ୍ରୀ ଆପତ୍ତି ଉଠାଇଛନ୍ତି। ଏହା ବିଜ୍ଞାପନ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀଙ୍କର ଫଟୋ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରୁଛି ବୋଲି ସେ କହିଛନ୍ତି।

ଏ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ଶାଳୀନତା ଦୃଷ୍ଟିରୁ ଆଇଓସିଏଲ ଏପରି ପ୍ରଚାର କରିବା ଉଚିତ ନୁହେଁ। କେନ୍ଦ୍ର ଓ ରାଜ୍ୟର ସମ୍ପର୍କ କ’ଣ ଯେଉଁମାନଙ୍କର ସମ୍ୟକ ଜ୍ଞାନ ନାହିଁ। ସେମାନେ ଏଭଳି ଆଚରଣ ପ୍ରଦର୍ଶନ କରନ୍ତି। ଏହା ଏକ କେନ୍ଦ୍ରୀୟ ଯୋଜନା ହେଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟୋଗ ବୋଲି ଧରିବାକୁ ହେବ। ସେ ଏକ ତରଫା ଏମିତି ପ୍ରଚାର କରିବା ଶାଳୀନତା ବିରୋଧୀ।

ଏ ନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ରାଜ୍ୟରେ କେନ୍ଦ୍ର ସରକାରୀଙ୍କ ବହୁ ଉଦ୍ୟୋଗ କ୍ଷତିରେ ଚାଲୁଛି। ତୈଳ ବିଶୋଧନାଗାର ଲୋକାର୍ପାଣ ନାମରେ ପ୍ରଚାର ଉଦ୍ୟମ ହେଉଛି। ତୈଳ ବିଶୋଧନାଗାର ଟଙ୍କାରେ ଏପରି ପ୍ରଚାର କରାଯିବା କେତେଦୂର ଯଥାର୍ଥ।

ସଂସଦରେ ଅଏଲ ଓ ଗ୍ୟାସ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ସଦସ୍ୟ ଥିବା ସାଂସଦ କଳିକେଶ ସିଂହଦେଓ କହିଛନ୍ତି, ସିଏସଆର ଅର୍ଥରେ ସରକାରୀ କାର୍ଯ୍ୟର ପ୍ରଚାର କରାଯିବା ଭୁଲ। ଆଇଓସିଏଲ ଏପରି ପ୍ରଚାର ଗାଡି ବାହାର କରିବା ଠିକ ନୁହଁ।

ଏ ନେଇ ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ସାଧରଣ ଲୋକଙ୍କୁ ସଚେତନତା କରାଇବା ପାଇଁ ଏପରି ପ୍ରଚାର କରାଯାଉଛି। ଏଥିରେ କିଛି ରାଜନୀତି ହେଉନାହିଁ। ବିଜେଡି ପକ୍ଷରୁ ଯେଉଁ ଅଭିଯୋଗ କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା।