ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନକୁ ନେଇ ବିଜେଡି-ବିଜେପି ମଧ୍ୟରେ ଗୋଡ ଟଣାଟଣି ରାଜନୀତି ଜୋର ଧରିବାରେ ଲାଗିଛି। ମୋଦି ପ୍ରଧାନମନ୍ତ୍ରୀ ଭାବେ ଏହାକୁ ଉଦଘାଟନ କରିବାକୁ ପାରାଦୀପ ଆସୁଥିବା ବେଳେ ବିଜେପି କାହିଁକି ଏହାକୁ ଦଳୀୟ କାର୍ଯ୍ୟକ୍ରମ ବୋଲି ଭାବୁଛି ବୋଲି ବିଜେଡି ପ୍ରଶ୍ନ କରିଛି। ଏହାର ଉତ୍ତରରେ ବିଜେପି ପକ୍ଷରୁ କୁହାଯାଇଛି ବିଜେଡି ଯଦି ଏହାକୁ ଦଳୀୟ କାର୍ଯ୍ୟକ୍ରମ ବୋଲି ଭାବୁଛି ତେବେ ରାଜ୍ୟର ମନ୍ତ୍ରୀମାନେ ଉଦଘାଟନ ଉତ୍ସବକୁ ନ ଆସନ୍ତୁ। ବିଜେପି-ବିଜେଡିର ଏପରି କଥା କଟାକଟିକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି।

ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପକୁ ଉଦଘାଟନ କରିବା ପାଇଁ ପାରାଦୀପ ଆସୁଛନ୍ତି। ହେଲେ ଏହା ପୂର୍ବରୁ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଆଜି ପାରାଦୀପରେ ବିଜେଡିର ଛାମୁଆ ନେତାମାନଙ୍କୁ ନେଇ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଜେପି ଉପରେ ବର୍ଷିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦାମୋଦର ରାଉତ। ମନ୍ତ୍ରୀ ରାଉତ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବାକୁ ଆସୁଛନ୍ତି। ବିଜେପି ନେତା ହିସାବରେ ସେ ଆସୁ ନାହାନ୍ତି। ହେଲେ ଓଡ଼ିଶା ବିଜେପି ପକ୍ଷରୁ ଦଳୀୟ ନେତା ଓ କର୍ମୀମାନେ ଏହାକୁ ଦଳୀୟ କାର୍ଯ୍ୟକ୍ରମ ବୋଲି ଭାବୁଛି।

ଆଇଓସିଏଲ ପ୍ରଚାର ଗାଡିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ରହିବା ନେଇ ବିଜେପିକୁ ସମାଲୋଚନା କରି ଆସୁଛି ବିଜେଡି। ଏବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି। ବିଜେପି କହିଛି, ଏହା ବିଜେଡିର ରାଜନୈତିକ ଅସହିଷ୍ଣୁତା। ଆହାର, ନିରାମୟ ଓ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ବିଜ୍ଞାପନ ରହିଛି। ଏହାକୁ କ’ଣ ବିଜେଡି କାଢି ଦେବ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି।

ବିଜେପି ଉପସଭାପତି ପୃଥିରାଜ ହରିଚନ୍ଦନ କହିଛନ୍ତି, କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଯୋଗଦେବେ। ଏହାସହ ସ୍ଥାନୀୟ ବିଧାୟକ ଭାବେ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଉପସ୍ଥିତ ରହିବେ। ଯଦି ସେମାନେ ଭାବୁଛନ୍ତି ଏହା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମ ତେବେ ଏଥିରେ ଯୋଗ ନ ଦିଅନ୍ତୁ ବୋଲି ସେ କହିଛନ୍ତି।

ସେହିପରି ପ୍ରଚାର ହୋଡିଂରେ ବିଭାଗୀୟ ମନ୍ତ୍ରୀଙ୍କ ଫଟୋକୁ ନେଇ ମାମଲା କାଠଗଡାକୁ ଯାଇଛି। କଟକର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ହାଇକୋର୍ଟରେ ଏ ନେଇ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି।