ଇସ୍କନର ପ୍ରସ୍ତାବିତ ମନ୍ଦିର ନିର୍ମାଣ ସ୍ଥାନକୁ ନେଇ ବିବାଦ, କୋର୍ଟକୁ ଗଲା ମାମଲା

ପୁରୀ: ଇସ୍କନର ପ୍ରସ୍ତାବିତ ମନ୍ଦିର ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ଏବେ ଏହା ସହ ଯୋଡି ହୋଇଛି ମନ୍ଦିର ନିର୍ମାଣ ଲାଗି ପ୍ରସ୍ତାବିତ ସ୍ଥାନ। ଏହି ଜମି ଏବେ ବିବାଦ ଘେରକୁ ଆସିଛି। ଚଞ୍ଚକତା କରି ଇସ୍କନ୍ କର୍ତ୍ତୃପକ୍ଷ ଏହି ଜମି ନେଇଥିବା ଅଭିଯୋଗରେ କୋର୍ଟରେ ମାମଲା ରୁଜୁ ହୋଇଛି।

ମନ୍ଦିର ନିର୍ମାଣ ପାଇଁ ପୁରୀର ବଳିଆପଣ୍ଡାରେ ଇସ୍କନ ପକ୍ଷରୁ ଭୂମିପୂଜା ହୋଇଛି। ତେବେ ଜାଲିଆତି କରାଯାଇ ଇସ୍କନ ଏହି ଜମି ହାତେଇଥିବା ଅଭିଯୋଗ ହୋଇଛି। ଜମିର ମୂଳ ମାଲିକ ହସମୁଖ ଲାଲ୍ ଦେଶାଇ ଏବଂ ତାଙ୍କ ପୁଅ ପିୟୁଷ ଦେଶାଇ ଆମେରିକାରେ ରହୁଛନ୍ତି। ତାଙ୍କ ଦସ୍ତଖତକୁ ଜାଲଆତି କରି ଜମି ହଡ଼ପ କରାଯାଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି।

ଅଭିଯୋଗକାରୀ ବିଜୟ ପଣ୍ଡା କହିଛନ୍ତି, ଏହି ଜମି ବିବାଦୀୟ। ଏହାକୁ ନେଇ କୋର୍ଟରେ ମାମଲା ରହିଛି। ଏପରି ସ୍ଥିତିରେ ପିକେଡିଏ ଅନୁମତି ଦେବ ନାହିଁ ବୋଲି ଆମେ ଜାଣିଥିଲୁ। ହେଲେ ପିକେଡିଏ ପକ୍ଷରୁ ଅନୁମତି ଦିଆଯାଇଛି, ଯାହାକୁ ଆମେ ବିରୋଧ କରୁଛୁ।

ଆଇନଜୀବୀ ଅଶୋକ କୁମାର ଦାସ କହିଛନ୍ତି, ଜମି ଜାଲିଆତି ଜରିଆରେ ଇସ୍କନ ନାଁରେ ଏହି କରାଯାଇଛି। ଇସ୍କନ ଏକ ଅନ୍ତର୍ଜାତୀୟ ସୋସାଇଟି ବୋଲି ସେମାନେ କହୁଛନ୍ତି। ହେଲେ ଲକ୍ଷ୍ମୀ ବିଲଡରକୁ ଇସ୍କନ ଜଗନ୍ନାଥ ଧାମ ବୋଲି କହି ଜମି ବିକ୍ରି କରାଯାଇଛି।

ପୁରୀ ସିପସରୁ ବାଲି ମୌଜାର ଖାତା ନଂ ୮୮ର ମୋଟ ୭ଟି ପ୍ଲଟରେ ରହିଛି ୩୦ ଏକର ୯୯ ଡିସିମିଲ ଜମି। ବିବାଦୀୟ ଜମିରେ ପ୍ଲାନ ମଞ୍ଜୁରୀ କରିବା ବେଆଇନ ବୋଲି ପୁରୀ- କୋଣାର୍କ ଡେଭଲପମେଣ୍ଟ ଅଥରିଟି ନିକଟରେ ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ମଧ୍ୟ ଏ ନେଇ ଆପତ୍ତି ଉଠାଯାଇଛି।

ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି କହିଛନ୍ତି, ଜଣେ ସେବାୟତ ଓ ହିନ୍ଦୁ ଭାବେ ଏହାର ତିବ୍ର ପ୍ରତିରୋଧ କରୁଛି। ଇସ୍କନ ଓ ସରକାର ଏପରି ଚିନ୍ତାଧାରାରୁ ଓହରି ଯାଆନ୍ତୁ। ନଚେତ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, ଅଭିଯୋଗର ତଦନ୍ତ କରାଯିବ। ଯେତେ ଯାଗାରେ ସେ ପ୍ଲାନ ଆପ୍ରୁଭାଲ ନେଇଛନ୍ତି ତାହାନ୍ତ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।