ଇସ୍କନ ଦଖଲରେ ଥିବା ୬ ଏକର ସରକାରୀ ଜମିକୁ କବଜା କରିପାରିନି ପ୍ରଶାସନ

iskanପୁରୀ: ପୁରୀ ସିପସରୁବାଲି ମୌଜାରେ ୬ ଏକର ୮୭ ଡିସିମିଲ ସରକାରୀ ଜମିକୁ ଜବରଦଖଲ କରିଥିଲା ଇସ୍କନ। ସରକାରୀ ଖାତାକୁ ଏଇ ଜମି ଫେରିଥିଲେ ମଧ୍ୟ କବଜାକୁ ଆସିନି। ଆଜି ଜିଲ୍ଲା ପ୍ରଶାସନର ଏକ ଟିମ୍ ଇସ୍କନ ଜମିର ମାପଚୁପ କରିଛନ୍ତି। ଅନ୍ୟପକ୍ଷରେ ବାଇ-ଲ’ର ଉଲ୍ଲଂଘନ କରି ଲାଭ ଉଦ୍ଦେଶ୍ୟରେ ସଂସ୍ଥା ୪ ଏକରରୁ ଅଧିକ ଜମି ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ଇସ୍କନର ପୂର୍ବତନ ସଭାପତି।

ପୁରୀ ବଳିଆପଣ୍ଡା ଅଂଚଳର ସିପସରୁବାଲି ମୌଜାରେ ଥିବା ଇସ୍କନ ଜମିକୁ ନେଇ ତନାଘନା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ଆଜି କରିଛି ମାପଚୁପ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି, ଆରଆଇ ଓ ଅମିନ ଏହି ମାପଚୁପ କରିଥିଲେ। ଜମିର ପ୍ରଥମ ଭାଗରୁ ୬ ଏକର ୮୭ ଡେସିମିଲ୍ ସରକାରୀ ଜମି ବୋଲି ଜଣାପଡ଼ିଛି। ତେବେ ଏଇ ଜମି ସରକାରୀ ଖାତାକୁ ଫେରିଥିଲେ ବି ମାମଲା କୋର୍ଟରେ ବିଚରାଧୀନ ଥିବାରୁ ଜମିକୁ ଦଖଲକୁ ନେଇପାରିନି ପ୍ରଶାସନ। ସେପଟେ ଇସ୍କନର ଏବେ ଏଇ ଅଂଚଳରେ ଅଛି ମୋଟ୍ ୨୦ ଏକର ଜାଗା। ୧୮ ଏକର ୬୫ ଡିସିମିଲ୍ ଜାଗାର ୨ଟି ପ୍ଲଟରେ ଇନଷ୍ଟିଚ୍ୟୁଟସନାଲ୍ କଂପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ଆଣିଥିଲା ଇସ୍କନ।

ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓଏସଡି କେଦାରନାଥ ପତି କହିଛନ୍ତି, ୬ ଏକର ୮୭ ଡେସିମିଲ ଜମି ସରକାରୀ ରହିଛି। ଏହା ସରକାରୀ ଖାତାକୁ ଆସିଛି। କିନ୍ତୁ କୋର୍ଟଙ୍କ ରହିତାଦେଶ ଯୋଗୁଁ ଏହା ସରକାରୀ କବଜାକୁ ଆସି ନାହିଁ।

ଅନ୍ୟପକ୍ଷରେ ଇସ୍କନ ବିରୋଧରେ ଅଭିଯୋଗ ଆଣିଛନ୍ତି ସଂସ୍ଥାର ପୂର୍ବତନ ସଭାପତି ମାୟାପୁରୀ ଚନ୍ଦ୍ର ଦାସ। ସେ ଅଭିଯୋଗ କରିଛନ୍ତି ଇସ୍କନର ବାଇ’ଲରେ ଜମି ବିକ୍ରି କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ ରହିଛି। ହେଲେ ସିପସରୁବାଲି ମୌଜାର ୪ ଏକର ୫୦ ଡେସିମିଲ ଜମି ଏକ ବିଲଡର ସଂସ୍ଥାକୁ ୬୭ ଲକ୍ଷ ଟଙ୍କାରେ ବିକ୍ରି କରିଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୀ ଇସ୍କନ ଦାୟିତ୍ୱରେ ଥିବା ଅଧିକାରୀ ସୁଦାମ ଗୋବିନ୍ଦ ଦାସ। ସେ କହିଛନ୍ତି, ସରକାରୀ ଜାଗା କହି ସରକାର ତାଙ୍କ ଖାତାକୁ ୬ ଏକର ଜମି ନେଇ ଯାଇଛନ୍ତି। ଇସ୍କନ ନୀତି ଆଦର୍ଶରେ ଚାଲିଛି। ଇସ୍କନ କିଛି ଭୁଲ କରିନି। ସିଏ (ମାୟାପୁରୀ ଚନ୍ଦ୍ର ଦାସ) କୌଣସି ଭୁଲ୍ କରିଥିବେ ବୋଲି ତାଙ୍କୁ ଇସ୍କନରୁ ନିଲମ୍ବନ କରାଯାଇଥିଲା। ସେଥିପାଇଁ ସେ ଅଭିଯୋଗ କରିଥିବେ।