ଇସ୍କନ ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆରଡିସି ସ୍ତରୀୟ ନିର୍ଦ୍ଦେଶକୁ ବିଜୟ ମହାପାତ୍ରଙ୍କ ସ୍ୱାଗତ

ପୁରୀ: ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆରଡିସି ସ୍ତରୀୟ ନିର୍ଦ୍ଦେଶକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସ୍ୱାଗତ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଏହା ସରକାରଙ୍କ ଉଚିତ ପଦକ୍ଷେପ ବୋଲି ସେ କହିଛନ୍ତି। ତେବେ ତଦନ୍ତ ପ୍ରକ୍ରିୟାରେ ଆରଡିସି, ମୁକ୍ତି ମଣ୍ଡପ ପଣ୍ଡିତ, ଜଗନ୍ନାଥ ସଂସ୍କୃତି ଗବେଷକ, ସେବାୟତ ଓ ପୁରୀ ବାସିନ୍ଦାଙ୍କ ସହ ଆଲୋଚନା କରି ତାଙ୍କ ନିଷ୍ପତ୍ତି ଶୁଣାଇବାକୁ ସେ ଦାବି କରିଛନ୍ତି।

ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ୬୦ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀର ବଳିଆପଣ୍ଡାଠାରେ ଇସ୍କନ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ଯାଉଛି। ପୁରୀରେ ବଡ ଠାକୁରଙ୍କ ମନ୍ଦିର ଥିବା ବେଳେ ଇସ୍କନ ଆଉ ଏକ ମନ୍ଦିରର ପରିକଳ୍ପନା କରୁଛି। ଏହା ଜଗନ୍ନାଥ ସଂସ୍କୃତିକୁ ବିଲୋପ କରିବାକୁ ଷଡଯନ୍ତ୍ରୀ ବୋଲି ଜାନୁୟାରୀ ୧୮ ତାରିଖରେ ବିଜୟ ମହାପାତ୍ର ଅଭିଯୋଗ କରିଥିଲେ। ପରେ ଏହାକୁ ନେଇ ସାର ରାଜ୍ୟରେ ବିରୋଧର ସ୍ୱର ଉଠିଥିଲା।