କଟକ ଏସସିବିରୁ ଡିସଚାର୍ଜ ହେଲା ଜଗା

କଟକ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ନିଜ ଜନ୍ମମାଟି ଫୁଲବାଣୀକୁ ଗଲା। ୧୦୮ ଆମ୍ବୁଲାନ୍ସରେ ସ୍ୱତନ୍ତ ଡାକ୍ତରୀ ଦଳ ସହ ଫୁଲବାଣୀ ଗଲା ଜଗା। ଏସସିବିରୁ ଯାଇ ଜଗା ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରହିବ। କଟକ ଏସସିବିରୁ ନିଜ ଜନ୍ମମାଟିକୁ ଫେରାଇ ନେବାକୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏଥିଲାଗି ଫୁଲବାଣୀରୁ ଆସିଥିବା ଡାକ୍ତରୀ ଦଳ ସହ ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କର ଆଲୋଚନା ହୋଇଥିବା ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି। ଜିଲ୍ଲାପାଳ ଏବଂ NHM ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ଆସିବା ପରେ ଜଗାକୁ ଫୁଲବାଣୀ ଛଡ଼ାଯାଇଛି।

ଜଗାର ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠରୀରେ ଏକ କ୍ୟାବିନ୍ ପ୍ରସ୍ତୁତ କରାଯାଇଛି। କନ୍ଧମାଳ ଫିରିଙ୍ଗିଆ ମେଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଥିଲେ। ଜଗା କାଳିଆ ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର ପରେ ପରସ୍ପର ଠାରୁ ଅଲଗା ହୋଇଥିଲେ। ଦିଲ୍ଲୀ ଏମ୍ସରୁ ଆସି କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆ ଆଖି ବୁଜିଥିଲା। ଏବେ ଜଗାର ଚିକିତ୍ସା ଚାଲିଛି ଏବଂ ପୂର୍ବାପେକ୍ଷା ସୁସ୍ଥ ଅଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।