ଜଗତସିଂହପୁର: ସମିତିସଭ୍ୟଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୋଲିସ ଗାଡ଼ି ପୋଡିଦେଲେ ଲୋକେ

gajatsingpur1ଜଗତସିଂହପୁର: ଏରସମା ବ୍ଲକ ନୂଆଡ଼ି ସମିତିସଭ୍ୟ ରଞ୍ଜନ ସ୍ୱାଇଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ମୁଖ୍ୟରାସ୍ତା ଅବରୋଧ କରିବା ସହ ଥାନା ଘେରାଉ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ୨ଟି ପୋଲିସ୍‌ ଗାଡି ପୋଡ଼ି ଦେବା ସହ ଏରସମା ମେଡିକାଲରେ ଭଙ୍ଗାରୁଜା କରିଛନ୍ତି।

ଗତକାଲି ରଞ୍ଜନ ସମିତି ବୈଠକକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଅଚେତ ଅବସ୍ଥାରେ ଏରସମା-ଆମ୍ବିକି ରାସ୍ତାର କୁଲିଦ ପୋଲ ତଳୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା।

ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏରସମା ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ରଞ୍ଜନଙ୍କ ଅନ୍ତୋଷ୍ଟି ପାଇଁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବା ପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ଓହରି ଥିଲେ।