କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍‌ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇଚ୍ୟୁତ ହେବା ପରେ ସେହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହି ରୁଟ୍‌ ଦେଇ ଯିବାକୁ ଥିବା ୮ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହା ସହ ୫ଟି ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଥିବା ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଉଛି-ହାୱାଡ଼ା-ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ, ହାୱାଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ,ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ, ସାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଓ ଭୁବନେଶ୍ୱର- ବାଲେଶ୍ୱର ପାସେଞ୍ଜର ସ୍ପେଶାଲ।

ସେହିପରି ମାର୍ଗ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍‌ ଗୁଡ଼ିକ ହେଉଛି- ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ, ବାଙ୍ଗାଲୋର-ସାନ୍ତ୍ରାଗାଚି ଏକ୍ସପ୍ରେସ୍, ତ୍ରିବେନ୍ଦ୍ରମ୍-ସାଲିମାର ଏକ୍ସପ୍ରେସ୍, ସିକନ୍ଦରାବାଦ-ହାଓ୍ୱଡା, ତିରୁପତି-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଦୁରୋନ୍ତୋ ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ଯଶିଦିହ ଏକ୍ସପ୍ରେସ, ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ, ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଓ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ।

କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ପରେ ରେଷ୍ଟୋରେସନ୍ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ। ସମ୍ବଲପୁର ରୁଟ୍ ଦେଇ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଉଛି ବୋଲି ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କହିଛନ୍ତି।

ଆଜି ସକାଳ ପ୍ରାୟ ୬ଟା ୪୪ ମିନିଟ୍‌ରେ  ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ ଦ୍ରୁତଗତିରେ ଆସି ବିଶ୍ରାମାଗାର ଉପରକୁ ମାଡ଼ିଯାଇଥିଲା।  ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହୁରି ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।