ବାଟ ଥିଲା କଣ୍ଟକିତ, ଫୁଲ ବିଛେଇଲା ବ୍ୟୁଟି ପାର୍ଲର

ଯାଜପୁର(ଗୁଲାମ ଗସ୍‌): ଦରିଦ୍ରତା ତାଙ୍କ ପଥକୁ ରୋକିପାରିନି। ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ପାଇଁ ଆଶା ଓ ଭରସା ପାଲଟିଛନ୍ତି। ସେଭଳି  ଜଣେ ମହିଳା ଉଦୌଗୀ ହେଉଛନ୍ତି ସୁଜାତା ବେହେରା। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡଚଣା ଗ୍ରାମର ତାଙ୍କ ଘର। ପିଲାବେଳୁ ବିୟୁଟି ପାର୍ଲର ଖୋଲିବାକୁ ଆଗ୍ରହ ରଖିଥିଲେ। ହେଲେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଲକ୍ଷ୍ୟ ପଥରେ ବାଧା ଉପୁଜିଥିଲା। ଦାରିଦ୍ର୍ୟ ଓ ଆର୍ଥିକ ଅନଟନ ଭିତରେ କାଳ କାଟୁଥିବା ପରିବାରର ସ୍ଥିତିକୁ ସୁଦୃଢ କରିବା ଲାଗି ସେ ଆଗେଇ ଆସିଥିଲେ।

କଲିକତାରେ ସୁଜାତାଙ୍କ ବାପା କାମ କରୁଥିବା ବେଳେ ସେଠାକୁ ଯାଇ କାମ ଶିଖିଥିଲେ। ନିଜର ଇଚ୍ଛାଶକ୍ତି ବଳରେ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହେବା ତାଙ୍କର ସ୍ୱପ୍ନ ଥିଲା। ସେଠାରୁ ଆସି ନିଜ ଗାଁ ବଡ଼ଚଣା ବଜାରରେ ଖୋଲିଥିଲେ ଏକ ବିୟୁଟି ପାର୍ଲର। ଯାହାର ନାମ ସେ ସ୍ୱାତୀ ବିୟୁଟି ପାର୍ଲର ରଖିଛନ୍ତି। ଦୃଢ ଇଛାଶକ୍ତି ଓ ଆତ୍ମ ବିଶ୍ୱାସ ରହିଲେ ଜଣେ ମହିଳା ନିଜ ପରିବାରାର ଆଥିର୍କ ସ୍ଥିତିକୁ ବଦଳାଇ ପାରିବ ବୋଲି କହିଛନ୍ତି ସୁଜାତା। ତାଙ୍କ ବିୟୁଟି ପାର୍ଲରକୁ ଆସି ମହିଳାମାନେ ତାଙ୍କ କାମକୁ ବେଶ ପ୍ରଶଂସା କରିଛନ୍ତି। ୨୦୧୨ରୁ ଏହି ବିୟୁଟି ପାର୍ଲର କାମ ଆରମ୍ଭ କରିଥିଲେ ସୁଜାତା। ପ୍ରଥମେ ଅଳ୍ପରେ ଆରମ୍ଭ କରି ପରେ ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ (ବିୱାଇଏସଟି) ସହାୟତାରେ ଋଣ ଆଣି ଏହାକୁ ବଢାଇ ପାରିଛନ୍ତି ସେ ।

କେବଳ ସେତିକି ନୁହେଁ ସମୟ ପାଇଲେ ଅନ୍ୟ ଯୁବତୀମାନଙ୍କୁ ମଧ୍ୟ ସେ ପ୍ରଶିକ୍ଷଣ ଦେଉଛନ୍ତି। ସୁଜାତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି। ଏମିତିକି ସେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରସ୍କାର ଲାଭ କରିଛନ୍ତି। ଏହାକୁ ବାଦ୍‌ ଦେଲେ ସୁଜାତା ଘରେ ପୂଜା ପାଠ ହେଉ ଅବା ରୋଷେଇ ହେଉ ସବୁ କାର୍ଯ୍ୟରେ ସେ ବେଶ ପାରଙ୍ଗମ। ପ୍ରତ୍ୟହ ଘର କାମ ସାରିବା ପରେ ଯାଇ ପାର୍ଲର ଖୋଲିଥାନ୍ତି। ବାପା, ମା, ସାନ ଭାଇ,ଭାଉଜ ସମସ୍ତଙ୍କ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ। ସେ ଆହୁରି ଆଗକୁ ଯିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏନେଇ ପରିବାର ଲୋକେ ବେଶ୍‌ ଗର୍ବ ଅନୁଭବ କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।