ଜାଲ୍ ପାସପୋର୍ଟ ମାମଲା: ପୋଲିସ ହାତରେ ପୁଣି ଜଣେ ଯୁବକ, ବାଂଲାଦେଶୀ ସନ୍ଦେହ

ଭୁବନେଶ୍ୱର: ଜାଲ ପାସପୋର୍ଟ ମାମଲାରେ ପୁଣି ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ। ଅଟକ ଜଣଙ୍କ ହେଲେ ଶେଖ ଅବଦୁଲ। ସେ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଛି। ପାସପୋର୍ଟ ପାଇ ସାରିଥିବା ଶେଖ ଆଜି କ୍ଲିୟରାନ୍ସ ଲାଗି ଭୁବନେଶ୍ୱର ଅଫିସକୁ ଆସିଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି।

ସେ ଦେଇଥିବା କାଗଜପତ୍ର ସବୁ ଜାଲ ବୋଲି ପାସପୋର୍ଟ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଶେଖ ନିଜକୁ ଭୁବନେଶ୍ୱର ଭିଏସଏସ ନଗର ତାରିଣୀ ବସ୍ତିର ବାସିନ୍ଦା ବୋଲି ଦାବି କରିଛି।

ପାସପୋର୍ଟ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ତା’ର ଭୋଟର କାର୍ଡ ନମ୍ବରରୁ ସନ୍ଦେହ ହେବାରୁ ଅଟକ ରଖିଥିଲୁ। ପୋଲିସ ଭେରିଫିକେଶନରେ ସେ ଭାରତୀୟ ବୋଲି ଉଲ୍ଲେଖ ଥିବାରୁ ପାସପୋର୍ଟ ଦିଆଯାଇଥିଲା।

ଭୁବନେଶ୍ୱରରୁ ଗତ ୨୦ ତାରିଖରେ ବସିର ନାମକ ଜଣେ ବାଂଲାଦେଶୀ ଯୁବକ ପାସପୋର୍ଟ ପାଇଁ ଆବେଦନ କରିଥିଲା। ତେବେ ସ୍ଥାନୀୟ ପ୍ରମାଣପତ୍ର ନ ଥିବାରୁ ତାଙ୍କୁ ଅଟକ ରଖାଯାଇଥିଲା। ଏହାକୁ ନେଇ ସେ ପାସପୋର୍ଟ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା। ପରଦିନ ତା’ର ୬ଜଣ ସହଯୋଗୀଙ୍କୁ ଯାଜପୁରରୁ କମିଶନରେଟ ପୋଲିସ ଧରିଥିଲା। ଦଲାଲକୁ ଟଙ୍କା ଦେଇ ରାତିରେ ଭାରତ ମଧ୍ୟକୁ ପ୍ରବେଶ କରିଥିବା ବସିର ଓ ଅନ୍ୟ ଜଣେ ଗିରଫ ଯୁବକ ସେତେବେଳେ କହିଥିଲେ।