ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ ହଡ଼ପ କରିଥିବା ଆଉ ୮୮ ଏକର ଜମି ଫେରିବ ସରକାରୀ ଖାତାକୁ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ ହଡ଼ପ କରିଥିବା ଆଉ ୮୮ ଏକର ଜମି ଫେରିବ ସରକାରୀ ଖାତାକୁ। ଏସଂପର୍କିତ ମାମଲାର ବିଚାର କରି ଲ୍ୟାଣ୍ଡ ରେକର୍ଡସ୍ ଓ ବନ୍ଦୋବସ୍ତ କମିଶନର ଅଶୋକ କୁମାର ତାରେଣିଆ ଏଇ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଆଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ ଯାଜପୁର ଦାନଗଦି ଶଳିଜଙ୍ଗାରେ ଥିବା ୮୮ ଏକର ଅନାବାଦୀ ଜମିକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାଶ ବେଆଇନ ଭାବେ ନିଜେ ଓ ନିଜ ଭାଇମାନଙ୍କ ନାଁରେ କରି ନେଇଥିଲେ। ଏସଂପର୍କରେ ଜଣାପଡ଼ିବା ପରେ ଯାଜପୁର ଜିଲ୍ଲାପାଳ ଓ ଦାନଗଦି ତହସିଲଦାର ରାଜସ୍ୱ ପର୍ଷଦ ସଦସ୍ୟଙ୍କ ନିକଟରେ ଆବେଦନ କରିଥିଲେ। ରାଜସ୍ୱ ପର୍ଷଦ ସଦସ୍ୟ ଏହାକୁ ବିଚାର ଲାଗି ଲ୍ୟାଣ୍ଡ ରେକର୍ଡସ୍ ଓ ବନ୍ଦୋବସ୍ତ କମିଶନରଙ୍କ କୋର୍ଟକୁ ପଠାଇଥିଲେ। କୋର୍ଟ ମାମଲାର ଶୁଣାଣି କରି ୮୮ ଏକର ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲ୍ଲାପାଳ ଓ ଦହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଗତ ୧୬ ତାରିଖରେ ଆର.ଏନ୍ ଦାସ ବେଆଇନ ଭାବେ ଦଖଲ କରି ବିକି ଦେଇଥିବା ୭୦ ଏକର ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ରାୟ ସଂପର୍କରେ ଆର ଏନ ଦାଶଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।