ଜାନୁୟାରୀ ୧୫ରୁ ତୃଣମୂଳ ସ୍ତରରେ ବିଜେଡି କରିବ କର୍ମୀ ସମ୍ମିଳନୀ

ଭୁବନେଶ୍ୱର: ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରୁଛି। ରାସନକାର୍ଡ ଅନିୟମିତତାକୁ ନେଇ ଦଳ ଅଡୁଆରେ ପଡ଼ିଥିବା ବେଳେ ଛବି ସୁଧାରିବାକୁ ଏହି ପ୍ରୟାସ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକୃତ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆସନ୍ତା ୧୫ ତାରିଖରୁ ଏକମାସ ଧରି ଦଳ ତରଫରୁ ତୃଣମୂଳ ସ୍ତରରେ କର୍ମୀ ସମ୍ମିଳନୀ କରାଯିବ।

ରାସନକାର୍ଡ ଅନିୟମିତତାକୁ ନେଇ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼, କଳାପତାକା ପଦର୍ଶନ ହେବା ସହ ଜନ ଜନ ଅସନ୍ତୋଷ ବଢିବାରେ ଲାଗିଛି।  ଏସବୁ ସ୍ଥିତିର ମୁକାବିଲା କରିବାକୁ ବିଜେଡି ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଏକମାସ ଧରି ଦଳ ତୂଣମୂଳ ସ୍ତରରେ କର୍ମୀ ସମ୍ମିଳନୀ କରିବାକୁ ଯାଉଛି। ଏ ନେଇ ଦଳୀୟ ନେତାଙ୍କୁ ଚିଠି ଲେଖିଛନ୍ତି ନବୀନ। ବିଜେଡିର ସଫଳତାରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଇର୍ଷାନ୍ୱିତ ହୋଇ ଅପପ୍ରଚାର ଓ ବିଭ୍ରାନ୍ତି ସୃଷ୍ଟି କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକୃତ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, ବିରୋଧୀଙ୍କର କିଛି ଅସୁସ୍ଥ କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ କିଛି ବିଭ୍ରାନ୍ତି ତିଆରି କରିଛି। ତାକୁ ପ୍ରତିହତ କରିବା ଓ ଠିକ କଥା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏପରି କରାଯାଉଛି।

ହେଲେ ବିଜେଡିର ପ୍ରସ୍ତାବିତ କର୍ମୀ ସମ୍ମିଳନୀକୁ ବିରୋଧୀ ବିଜେପି ଓ କଂଗ୍ରେସ୍ ପକ୍ଷରୁ ସମାଲୋଚନା କରିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଏମାନେ ବିରୋଧୀ ଦଳ ଓ ରାଜ୍ୟ ବାସିଙ୍କ ଅସନ୍ତୋଷକୁ ସମ୍ମୁଖୀନ ହୋଇ ନ ପାରି ଯେପରି ପଦଯାତ୍ରା କରି ବିଫଳ ହେଲେ। କର୍ମୀ ସମ୍ମିଳନୀ ମଧ୍ୟ ବିଫଳ ହେବ। କର୍ମୀ ସମ୍ମିଳନୀରେ ଲୋକଙ୍କ ସିଧାସଳଖ ପ୍ରଶ୍ନର ସମ୍ମୁଖୀନ ହୋଇ ଅପଦସ୍ତ ହେବାକୁ ଯାଉଛି।

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଲୋକଙ୍କୁ ପୁଣି ଥରେ ଭୂଆଁ ବୁଲାଇବାକୁ ଉଦ୍ୟମ କରିବେ। ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ସେମାନେ ଲୋକଙ୍କ ପାଖକୁ ଗଲେ ତାର ଉତ୍ତର ପାଇବ । ଲୋକେ ତାଙ୍କୁ ସ୍ୱାଗତ କରୁଛନ୍ତି, ଫୁଲମାଳ ଦେଉଛନ୍ତି ନା ଆଉ କିଛଇ ଦେଉଛନ୍ତି ସେ ତା’ର ସମ୍ମର କରିବେ।