ଜାନୁୟାରୀ ୨୭ରୁ ହେବ ଜଗମୋହନ ମରାମତି କାର୍ଯ୍ୟ, ବାହାର କାଠ ପାଖରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଜାନୁୟାରୀ ୨୭ ତାରିଖରୁ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆରମ୍ଭ ହେବ। ଏକ ବର୍ଷ ଜଗମୋହନ କାମ ହେବ। ମରାମତି ବେଳେ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ବାହାର କାଠ ପାଖରୁ ଶ୍ରଦ୍ଧାଳୁ ତିନି ଠାକୁରଙ୍କ ଦର୍ଶନ କରିବେ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି। ପୂର୍ବରୁ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଜାନୁୟାରୀ ୨୭ରୁ ଆରମ୍ଭ କରାଯିବାକୁ ସହମତି ପ୍ରକାଶ ପାଇଥିଲା।

ଜଗମୋହନ ମରାମତି ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସ୍ୱଳ୍ପ ସମୟ ମଧ୍ୟରେ ସମନ୍ୱୟ ରଖାଯାଇ କିପରି ଜଗମୋହନ ମରାମତି କାମ କରାଯାଇ ପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି କମିଟି ଗଠନ କରାଯାଇଛି। ନୀତିକାନ୍ତି ତଦାରଖ ପାଇଁ ଗୋଟିଏ କମିଟି ଓ ଅନ୍ୟ ଏକ ବୈଷୟିକ କମିଟି ମରାମତି କାମ ଅନୁଧ୍ୟାନ କରିବ। ଏହାସହ ଏଏସ୍ଆଇ କାମରେ ସହଯୋଗ କରିବ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ରାଇଜର ପ୍ଲାଟଫର୍ମ କରାଯିବାକୁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତି ହୋଇଛି।