ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣା: ଆଜିଠାରୁ ବଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ଜଟଣୀ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଆଜିଠାରୁ ବିଜେପି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଗତକାଲି ଏ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି। ଇତିଶ୍ରୀ ହେଉକି ବେବିନା- ପ୍ରତିଦିନ ହାରାହାରି ୩ ଜଣ ଭଉଣୀଙ୍କୁ ଆକ୍ରମଣ ଓ ଧର୍ଷଣ ଚାଲିଛି। ଏଭଳି ନିନ୍ଦନୀୟ ଘଟଣା ଆଗାମୀ ଦିନରେ ଯେପରି ନ ଘଟୁ  ସେଥିପାଇଁ ଭାରତୀୟ ଜନତା ପାର୍ଟି ଦାବି କରୁଛି।

ସେ କହିଛନ୍ତି, ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣାର ପ୍ରତିବାଦରେ ଶନିବାରଠାରୁ ସାରା ରାଜ୍ୟରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପର୍ଯ୍ୟାୟକ୍ରମେ ଦଳୀୟ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ କରିବାକୁ କୁହାଯାଇଛି। ତେବେ ଶନିବାରଠାରୁ ଏହା ଆରମ୍ଭ ହୋଇଯିବ। କର୍ମୀମାନେ ବିକ୍ଷୋଭ କରିବେ କି ଧାରଣା ଦେବେ ତାହା ସେମାନେ ନିଷ୍ପତ୍ତି କରିବେ।

ଜଟଣୀ ନାବାଳିକା ଦୁର୍ଷ୍କମ ଘଟଣାର ଅଭିଯୁକ୍ତକୁ ଫାଶି ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ବସନ୍ତ ପଣ୍ଡା। ଏହା ସହିତ ପୀଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରି ସେ କହିଥିଲେ ଯେ ମହିଳାଙ୍କ ପ୍ରତି ହେଉଥିବା ଏହି ଅପରାଧକୁ କେମିତି ରୋକା ଯାଇପାରିବ ସେ ଦିଗରେ ପଦକ୍ଷେପ ନିଅନ୍ତୁ।