ଜଟଣୀ ନାବାଳିକା ଦୁଷ୍କର୍ମ ମାମଲା: ରାଜ୍ୟବ୍ୟାପୀ ବିଜେପିର ବିକ୍ଷୋଭ

sambalpur-protestଭୁବନେଶ୍ୱର: ଜଟଣୀ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ରାଜ୍ୟରେ ତେଜୁଛି ଆନ୍ଦୋଳନ। ଘଟଣାର ପ୍ରତିବାଦରେ ଶନିବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି।

ନାରୀ ନିର୍ଯାତନା ପ୍ରତିବାଦରେ ସମ୍ୱଲପୁରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେପି ଜିଲ୍ଲା ସଭାପତି ନାଉରୀ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଦଳୀୟ କର୍ମୀମାନେ ସହର ପରିକ୍ରମା କରିବା ସହ ଗୋଲ ବଜାର ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ତା’ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

ସୁନ୍ଦରଗଡ଼ରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳୀୟ କର୍ମୀମାନେ ପଞ୍ଚମୁଖୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନେତାଜୀ ଛକକୁ ଯାଇଥିଲେ ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅମାନୁଷିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ଅଭିଯୋଗ କରି ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।

ଜଟଣୀ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ ଆଜି ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନ ଓ ବରିଷ୍ଠ ନେତା ରୁଦ୍ର ପାଣିଙ୍କ ନେତୃତ୍ୱରେ କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଥାନାଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୋଷୀକୁ କଠୋର ଦଣ୍ଡ ଦେବାକୁ ସମାନେ ଦାବି କରିଥିଲେ।

ରାୟଗଡ଼ାରେ ମଧ୍ୟ ବିଜେପି ପକ୍ଷରୁ ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଶତାଧିକ ବିଜେପି କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ। ବରିଷ୍ଠ ବିଜେପି ନେତା ଭାସ୍କର ନାଏକଙ୍କ ନେତୃତ୍ୱରେ ଶତାଧିକ କର୍ମୀ କପିଳାସ ଛକରେ ରାସ୍ତାରୋକୋ କରିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ସେଠାରେ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲା।