ଜାତୀୟ ପତାକାକୁ ଅବମାନନା ଅଭିଯୋଗ: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନାଁରେ ମାଲକାନଗିରି ଥାନାରେ ଏତଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକାକୁ ଅବମାନନା ଘଟଣାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି।  ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ସାଂସଦ ବଳଭଦ୍ର ମାଝୀ ଓ ସ୍ଥାନୀୟ ବିଧାୟକ ମାନସ ମାଡ଼କାମୀଙ୍କ ନାମରେ ମାଲକାନଗିରି ପୋଲିସ ଏତଲା ରୁଜୁ କରିଛି। ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଦୋଷୀଙ୍କୁ ଦଣ୍ଡ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର ସୋର କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କହୁଯାଇଛି।

ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି  ଗୋବିନ୍ଦ ପାତ୍ର କହିଛନ୍ତି, ଜାନୁଆରୀ ୨୬ରେ ଜାତୀୟ ପତାକାକୁ ସମ୍ମାନ  ଦେବା କଥା। ଏହା ଆଗରେ ମୁଣ୍ଡ ନୁଆଁଇବା କଥା। କିନ୍ତୁ ସେମାନେ ସେହି ଦିନ ଏହାକୁ ଅସମ୍ମାନ କରିଛନ୍ତି। ସେଥିପାଇଁ ଆମେ ଏହାକୁ  ସମ୍ପୂର୍ଣ୍ଣ ବିରୋଧ କରୁଛୁ।  ମାଲାକାନଗିରି ଜିଲ୍ଲା ପ୍ରତି ଅପମାନିତ ହୋଇଛି।  ମନ୍ତ୍ରୀ ସଞ୍ଜୟ ଦାଶବର୍ମା  ପୁର୍ନରବାର ମାଲକାନଗିରି ଜିଲ୍ଲା ଆସିଲେ  ଆମେ ତାଙ୍କୁ ଜିଲ୍ଲା ଭିତରକୁ ପଶେଇ ଦେବୁ ନାହିଁ।

ମାଲକାନଗିରି ବିଧାୟକ ମାନସ ମାଡ଼କାମୀ କହିଛନ୍ତି ଯେ ବିଜେଡି ପକ୍ଷରୁ ଜାତୀୟ ପତାକାକୁ ଅସମ୍ମାନ କରାଯାଇ ନାହିଁ। ତାଙ୍କୁ ଓ ତାଙ୍କ ଦଳକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି।