ବଲାଙ୍ଗିରକୁ ଫେରିଲା କାମଳ

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିରରେ କାୟା ବିସ୍ତାର କରୁଛି କାମଳ ରୋଗ। ବଲାଙ୍ଗିର ପୌରସଂସ୍ଥାର ୨୧ ନମ୍ୱର ୱାର୍ଡ ଅନ୍ତର୍ଗତ ଶାସ୍ତ୍ରୀ ନଗର ରୀନା ପ୍ରଧାନ  ଗତ ୧୫ ଦିନ ହେବ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ସହରର ଅନେକ ଲୋକେ କାମଳ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସହରରେ କାମଳ ରୋଗ ବ୍ୟାପୁଥିବା ବେଳେ ପୌରସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଗକୁ ବର୍ଷା ଦିନ ଥିବାରୁ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ଶାସ୍ତ୍ରୀନଗରରେ ଡ୍ରେନ ନଥିବାରୁ ପୂରା ଅଞ୍ଚଳ ସନ୍ତସନ୍ତିଆ ହୋଇ ପଡ଼ି ରହିଛି। ତେଣୁ ଏଠାରେ କାମଳ ସମେତ ବିଭିନ୍ନ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି।

କେବଳ ସେତିକି ନୁହେଁ ଶାସ୍ତ୍ରୀନଗରରେ ଦୁଇଟି ନଳକୂପ ରହିଛି। ହେଲେ ଏହାର ପାଣି ପିଇବା ଉପଯୋଗୀ ନୁହେଁ। ଫ୍ଲୋରାଇଡ୍‌ ଯୁକ୍ତ ପାଣି ହୋଇଥିବାରୁ ଏହି ପାଣି ପିଇବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ। ହେଲେ ଅନ୍ୟ ସୁବିଧା ନ ଥିବାରୁ ବାଧ୍ୟ ହୋଇ ଲୋକେ ନଳକୂପ ପାଣି ପିଉଛନ୍ତି। ଏନେଇ ପ୍ରଶାସନ ନିକଟରେ ଅନେକ ଗୁହାରି ପରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ସିନଟେକ୍ସ ଟାଙ୍କି ଯୋଗାଇ ଦିଆଇଛି। ହେଲେ ଏହା ତିନିରୁ ଚାରି ଦିନକୁ ଥରେ ପାଣି ଆସିଥାଏ। ତେଣୁ ଲୋକ ବାଧ୍ୟ ହୋଇ  ଫ୍ଲୋରାଡ୍ ପାଣି ପିଇ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More