କବି ଜୟନ୍ତ ମହାପାତ୍ର ‘ପଦ୍ମଶ୍ରୀ’ ଫେରାଇବା ଘଟଣା: ଧନ୍ୟବାଦ ଜଣାଇଲେ ମନ୍ତ୍ରୀ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ବିଶିଷ୍ଟ କବି ଜୟନ୍ତ ମହାପାତ୍ର ‘ପଦଶ୍ରୀ’ ପୁରସ୍କାର ଫେରାଇବା ଘଟଣାକୁ ସ୍ୱାଗତ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସୋମବାର ବିଜୁ ଛାତ୍ର ଜନତା ଦଳ ସମାବେଶନରେ ଉଦବୋଧନ ଦେବା ଅବସରରେ କବିଙ୍କର ଏହି ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। ସମାବେଶରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଅବସରରେ ସେ କହିଥିଲେ, ମୋଦି ସରକାର ଏକ ଇତିହାସ ରଚିବାକୁ ଯାଉଛନ୍ତି। ସେ ଇତିହାସ ହେଉଛି ‘ଅସହିଷ୍ଣୁତା’ର। ଦେଶରେ ଦେଖା ଦେଇଥିବା […]

sanjay-dasberma

sanjay-dasberma

Rakesh Mallick
  • Published: Monday, 23 November 2015
  • Updated: 23 November 2015, 03:26 PM IST

ଭୁବନେଶ୍ୱର: ବିଶିଷ୍ଟ କବି ଜୟନ୍ତ ମହାପାତ୍ର ‘ପଦଶ୍ରୀ’ ପୁରସ୍କାର ଫେରାଇବା ଘଟଣାକୁ ସ୍ୱାଗତ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସୋମବାର ବିଜୁ ଛାତ୍ର ଜନତା ଦଳ ସମାବେଶନରେ ଉଦବୋଧନ ଦେବା ଅବସରରେ କବିଙ୍କର ଏହି ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। ସମାବେଶରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଅବସରରେ ସେ କହିଥିଲେ, ମୋଦି ସରକାର ଏକ ଇତିହାସ ରଚିବାକୁ ଯାଉଛନ୍ତି। ସେ ଇତିହାସ ହେଉଛି ‘ଅସହିଷ୍ଣୁତା’ର। ଦେଶରେ ଦେଖା ଦେଇଥିବା ଅସହିଷ୍ଣୁତାକୁ ବିରୋଧ କରି ଅନେକ ବଡ଼ ବଡ଼ ସାହିତ୍ୟିକ, ବୈଜ୍ଞାନିକ, ଅର୍ଥନୈତିଜ୍ଞ ପୁରସ୍କାର ଫେରାଇ ସାରିଲେଣି। ସେମାନେ ଏନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପଦକ୍ଷେପ ମଧ୍ୟ ସ୍ୱାଗତଯୋଗ୍ୟ। ‘ପଦ୍ମଶ୍ରୀ’ ପୁରସ୍କାର ଫେରାଇ ସେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ଏହି ଛାତ୍ର ସମ୍ମିଳନୀ ସ୍ୱାଗତ କରୁଛି।

ଅନ୍ୟପକ୍ଷରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କବିଙ୍କର ଏହି ପଦକ୍ଷେପକୁ ଗ୍ରହଣ କରି ପାରିନାହାନ୍ତି। ସେ ଏହାକୁ ସମାଲୋଚନା କରି କହିଛନ୍ତି ଯେ ଦେଶର କେତେକ ବୁଦ୍ଧିଜୀବୀ ଅସହିଷ୍ଣୁତା ପ୍ରସଙ୍ଗ ଉଠାଇଛନ୍ତି। ସେମାନେ ପ୍ରକୃତରେ ଏହି ପ୍ରସଙ୍ଗଟି ସବୁଦିନ ପାଇଁ ବଞ୍ଚିରହିଥାଉ ବୋଲି ଚାହୁଁଛନ୍ତି ନା ଏହାକୁ ଯଥାଶୀଘ୍ର ଆଲୋଚନାରୁ ହଟାଇବାକୁ ଚାହୁଁଛନ୍ତି, ତାହା ବୁଝା ପଡୁ ନାହିଁ। ପୁଣି ପ୍ରକୃତରେ ‘ଅସହିଷ୍ଣୁତା’ ଭଳି ଜିନିଷଟିଏ ଦେଶରେ ରହିଛି ନା ଏହାକୁ କାଳ୍ପନିକ ଭାବେ ତିଆରି କରାଯାଇଛି, ତାହା ବି ସମୀକ୍ଷାର ବିଷୟବସ୍ତୁ। ତେଣୁ ଏହି ପ୍ରସଙ୍ଗ ଉଠାଇ ପୁରସ୍କାର ଫେରାଇବା ବିକୃତ ମାନସିକତାର ପରିଚୟ।

ଦେଶରେ ଅସହିଷ୍ଣୁତା ବଢ଼ିଥିବା ନେଇ ଅଭିଯୋଗ ଆସିବା ଓ ଏ ସମ୍ପର୍କରେ ଘଟଣାକ୍ରମରେ ମର୍ମାହତ ଓ ଭୟଭୀତ ହୋଇପଡ଼ିଥିବା ବର୍ଷିୟାନ କବି ଜୟନ୍ତ ମହାପାତ୍ର କହିଛନ୍ତି। ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଛି। ଏହାର ପ୍ରତିବାଦରେ ସେ ପାଇଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇଛି। ପଦ୍ମଶ୍ରୀ ସମ୍ମାନ ଫେରାଇବା ପରେ ପୂର୍ବାପେକ୍ଷା ତାଙ୍କୁ ଲାଗୁଛି ବୋଲି କହିଛନ୍ତି। କବି ଜୟନ୍ତ ମହାପାତ୍ର ରବିବାର ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କୁ ଚିଠି ଲେଖି ’ପଦ୍ମଶ୍ରୀ’ ପୁରସ୍କାର ଫେରାଇବା କଥା ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଦେଶରେ ବୃଦ୍ଧି ପାଉଥିବା ନୈତିକ ଅସମାନତାର ପ୍ରତିବାଦ କରିବା ଲାଗି ଏହା ହେଉଛି ତାଙ୍କର ଛୋଟିଆ ପଦକ୍ଷେପ। ଦେଶରେ ଜଣେ ସାଧାରଣ ନାଗରିକର ମୌଳିକ ସ୍ୱାଧୀନତା କ୍ଷୁର୍ଣ୍ଣ କରାଯାଉଛି। ସେ ୮୮ ବର୍ଷରେ ପହଞ୍ଚି ସାରିଥିବାରୁ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିବା ସ୍ଥିତିରେ ନାହାନ୍ତି। ବହୁ ଆତ୍ମଚିନ୍ତନ ପରେ ଏହି ପଦକ୍ଷେପ ନେବାକୁ ସ୍ଥିର କରିଛି। ତାଙ୍କ ପଦକ୍ଷେପକୁ କୌଣସି ମତେ ଦେଶ ପ୍ରତି ଅସମ୍ମାନ ଭାବେ ବିବେଚନା ନ କରିବାକୁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, କବି ଜୟନ୍ତ ମହାପାତ୍ରଙ୍କୁ ୨୦୦୯ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।

ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ କହିଛନ୍ତି, ଯେଉଁ ସାହିତ୍ୟିକଙ୍କ ପ୍ରାଣକୁ ବାଧିଛି ସେମାନେ ଫେରାଉଛନ୍ତି। ଯଦି ସେହି ଦୃଷ୍ଟିକୋଣରୁ ଜୟନ୍ତ ମହାପାତ୍ର ସମ୍ମାନ ଫେରାଇଛନ୍ତି ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ କହିଛନ୍ତି, ଜଣେ କବି ଓ ଲେଖକ ଭୟଭୀତ ହୋଇ କାମ କଲେ ତାହା କବି ସୁଲଭ ନୁହେଁ। ସେ ଯାହା ଲେଖିଛନ୍ତି ସେଥିରେ ଗୋଟିଏ ଜାତି ଗଠନ ହୋଇଛି। ସେଥିପାଇଁ ସେ ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ସେ ତାଙ୍କ ଚିନ୍ତାଧାରାକୁ ଫେରାଇ ନେଇପାରିବେ ନାହିଁ। କୌଣସି ବୁଦ୍ଧିଜୀବୀ ଏଥିରେ ଲିପ୍ତ ହେବା ଉଚିତ ନୁହେଁ। ସେମାନଙ୍କ ଲାଗି ପ୍ରତିବାଦ କରିବାର ବହୁତ କ୍ଷେତ୍ର ରହିଛି। କବି ପ୍ରତିଭା ଶତପଥୀ କହିଛନ୍ତି, ତାଙ୍କ ପ୍ରାଣରେ ଆଘାତ ଲାଗିଛି ନିଶ୍ଚିତ। ସେଥିପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos