ଓଡିଶା ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ ନା ଓଡିଶା ଜେଇଇ ହୋଇପାରୁନି ନିଷ୍ପତ୍ତି

ଭୁବନେଶ୍ୱର: ଇଞ୍ଜିନିୟରିଂ ପଢ଼ିବା ପାଇଁ ଓଡିଶା ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ ନା ଓଡିଶା ଜେଇଇ। ଏ ନେଇ ଅନିଶ୍ଚିତତା ଏବେ ବି ଲାଗି ରହିଛି। ଶନିବାର ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ବୈଠକରେ ଉନ୍ନୟନ କମିଶନର, ଆଇନ୍ ବିଭାଗର ପ୍ରମୁଖ ସଚିବ, ଦକ୍ଷତା ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଆଡଭୋକେଟ ଜେନେରାଲାଙ୍କ ପ୍ରତିନିଧି ଏବଂ ଓଜେଇଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଓଡ଼ିଶା ପ୍ରଫେସନାଲ ଆକ୍ଟ ୨୦୦୭ ଅନୁଯାୟୀ ରାଜ୍ୟ ସରକାର ଜେଇଇ ମେନରେ ଭାଗ ନେବେ ନା ନାହିଁ ବୈଠକରେ ତାର ତର୍ଜମା ହୋଇଥିଲା। ତେବେ ଆଇନ୍ ବିଭାଗ ଓ ଏଜିଙ୍କ ମତାମତ ମଗାଯିବା ପରେ ଏ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାଶବର୍ମା କହିଛନ୍ତି। ଆସନ୍ତା ୧ ତାରିଖରୁ ଜେଇଇ ମେନ୍ ପାଇଁ ଅନଲାନ ଆବେଦନ ଆରମ୍ଭ ହେଉଛି।