ଝାରସୁଗୁଡ଼ା: ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର, ଗଣଧର୍ଷଣ ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବଞ୍ଜାରୀ ଗାଁର ଏକ ନାଳରୁ ଗତକାଲି ଜଣେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ଅପହରଣ ପରେ ଧର୍ଷଣ କରାଯାଇ ଫିଙ୍ଗି ଦିଆଯାଇଥିବା ନେଇ ଆଜି ବଡ଼ମାଳ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ଏହି ଯୁବତୀଙ୍କ ଘର କଟକର ମଙ୍ଗଳାବାଗ ଥାନା ଅଞ୍ଚଳରେ। ଗତ ୮ ତାରିଖରେ ସେ ଟ୍ରେନ୍‌ରେ ଆସି ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିଥିଲେ। ସେ ଅନ୍ୟ ଏକ ଟ୍ରେନ୍‌ରେ ଯିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଉଠାଇ ନେଇ ଧର୍ଷଣ କରିଥିଲେ। ତା’ପରେ ସହରଠାରୁ ପ୍ରାୟ ୭ କିଲୋମିଟର ଦୂର ବଞ୍ଜାରୀର ଏକ ନାଳରେ ଫୋପାଡ଼ି ଦେଇଥିଲେ। ୮ ତାରିଖ ରାତିରୁ ଯୁବତୀ ଜଣଙ୍କ ନାଳରେ ପଡ଼ିଥିବା ବେଳେ ଗତକାଲି ଗାଁର କିଛି ଲୋକ ତାଙ୍କୁ ଉଦ୍ଧାର କରି ଥିଲେ ଓ ଆଜି ଏକ ମହିଳା ସଂଗଠନକୁ ଏ ବିଷୟରେ ଜଣାଇଥିଲେ। ମହିଳା ସଂଗଠନ ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ୍ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।

ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଝାରସୁଗୁଡ଼ା ଏସ୍‌ଡିପିଓ ବିଜୟ ନନ୍ଦ କହିଛନ୍ତି।