ଝୀନ ହିକକାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ: ଇସ୍ତଫା ଦାବି କଲା ବିଜେପି

ଜୟପୁର: କୋରାପୁଟ ସାଂସଦ ଝୀନ ହିକକାଙ୍କ ବିରୋଧରେ ଆସିଛି ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ। ଏପରି ଅଭିଯୋଗ ଆଣିଛି ଜିଲ୍ଲା ବିଜେପି। ଆଜି ଜୟପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦକ ଭୃଗୁ ବକ୍ସିପାତ୍ର ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସାଂସଦ ହିକକା ୨୦୦୯ ଲକ୍ଷ୍ମୀପୁର ବିଧାନସଭା ଓ ୨୦୧୪ ଲୋକସଭା ନିର୍ବାଚନ ଲଢିବା ବେଳେ ଶିକ୍ଷାଗତ ଯୋଗ୍ୟତାରେ ଭିନ୍ନ ତଥ୍ୟ ସତ୍ୟପାଠରେ ଦାଖଲ କରିଛନ୍ତି। ଏପରି ମିଥ୍ୟା ସତ୍ୟପାଠ ଦାଖଲ କରି ସେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିଛନ୍ତି। ତେଣୁ ସେ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦେବା ସହ ଏ ନେଇ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ବକ୍ସିପାତ୍ର ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଇନର ଆଶ୍ରୟ ନିଆଯିବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏକ ବଡ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବକ୍ସିପାତ୍ର ଚେତାବନୀ ଦେଇଛନ୍ତି।

ସାମ୍ୱାଦିକ ସମ୍ମିଳନୀରେ କୋରାପୁଟ ଲୋକସଭା ବିଜେପି ପ୍ରାର୍ଥୀ ତଥା ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବଶଙ୍କର ଉଲ୍ଲାକା, କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ ମିଶ୍ର ଓ ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର ବାହୀନପତି ପ୍ରମୁଖ ଉପସ୍ଥିତ ଥିଲେ।

ସାଂସଦ ଝୀନ ହିକକ୍କା କହିଛନ୍ତି, ସତ୍ୟପାଠରେ ମୁଁ ଯାହା ଲେଖିଛି ସବୁ ସତ୍ୟ। ମୁଁ ଯେଉଁ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିଛି ତାହା ହାସଲ କରିଛି। ଅଭିଯୋଗ କରୁଥିବା ଲୋକେ ଉକ୍ତ ଶିକ୍ଷାନୁଷ୍ଠାନକୁ ଯାଇ ଯାଞ୍ଚ କରିପାରିବେ ବୋଲି ସେ କହିଛନ୍ତି।