ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ହେବେ ବିଧାୟକ: ବିରୋଧୀ କହିଲେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ

jila-jojana-sabhapatiଭୁବନେଶ୍ୱର: ଜିଲ୍ଲା ଯୋଜନା ଅଧ୍ୟକ୍ଷ ସଂଖ୍ୟା ବଢିବ। ୯ଟି ଜିଲ୍ଲାରେ ବିଧାୟକଙ୍କୁ କମିଟି ଅଧ୍ୟକ୍ଷ କରାଯିବା ନେଇ ସରକାର ଘୋଷଣା କରିଛନ୍ତି। ଆଉ ମାସେ ଦୁଇ ମାସ ମଧ୍ୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ବିଧାୟକଙ୍କୁ ଅଧ୍ୟକ୍ଷ କରାଯିବା ନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ ୩ଟି ଜିଲ୍ଲାରେ ବିଜେଡି ବିଧାୟକ ନ ଥିବାରୁ ସେଠାରେ କାହାକୁ ଅଧ୍ୟକ୍ଷ କରାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ଅସନ୍ତୁଷ୍ଟ ନେତାଙ୍କ ସନ୍ତୁଷ୍ଟ କରିବାକୁ ବିଜେଡି ମୁଖିଆଙ୍କ ପ୍ରୟାସ ବୋଲି ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ନୂଆପଡ଼ା, ଝାରସୁଗୁଡା ଓ ଦେବଗଡ଼ରେ ବିଜେଡି ବିଧାୟକ ନ ଥିବାରୁ ଏହି ୩ଟି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ପଦରେ କିଏ ରହିବେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ ଆଇନ ଅନୁସାରେ ୯ଟି ଜିଲ୍ଲା ଯୋଜନା କମିଟିରେ ବିଧାୟକମାନେ ଅଧ୍ୟକ୍ଷ ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ମାସେ ଦୁଇ ମାସ ଭିତରେ କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନୟାଗଡ଼ ଭଳି ୧୮ଟି ଜିଲ୍ଲାରେ ବିଧାୟକମାନଙ୍କୁ ଅଧ୍ୟକ୍ଷ ପଦରେ ବସାଇବେ ରାଜ୍ୟ ସରକାର। ଅଧ୍ୟକ୍ଷମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ବିଜେଡି ବିଧାୟକ ନ ଥିବା ୩ ଜିଲ୍ଲାରେ ମନ୍ତ୍ରୀମାନେ ଅଧ୍ୟକ୍ଷ ରହିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସବୁ ଜିଲ୍ଲାରେ କରାଯିବାକୁ ଯୋଜନା ଅଛି। କିଛି ଜିଲ୍ଲା ରହିଯାଇ ପାରେ। ଆପାତତଃ ସବୁ ଜିଲ୍ଲା ଲାଗି ଏହା କରାଯାଉଛି। ଅଧ୍ୟକ୍ଷମାନଙ୍କ କ୍ଷମତା ଦିଆଯିବ। ଯାହା ଫଳରେ ଯୋଜନାଗୁଡିକ ଭଲରେ ଲୋକଙ୍କ ପାଖରେ ପହଞ୍ଚି ପାରିବ।

ବିଧାୟକମାନଙ୍କୁ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯିବାକୁ ନେଇ ବିରୋଧୀ, ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହା କେବଳ ଥଇଥାନ ଯୋଜନା ଓ ଏହାଦ୍ୱାରା ରାଜକୋଷରୁ ଅଯଥା ଅର୍ଥ ଖର୍ଚ୍ଚ ହେବ ବୋଲି ବିରୋଧୀ କହିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଏହା ସମ୍ପୂର୍ଣ୍ଣ ରାଜନୈତିକ ଥଇଥାନ ଛଡା ଆଉ କିଛି ନୁହେଁ। ଏଥିରେ କେତେ ଟଙ୍କା ଖର୍ଚ୍ଚ ହେବ ଓ ଏହି ଟଙ୍କା କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀମାନେ ୩ରୁ ୪ ମାସରେ ଥରେ ଯାଉଥିଲେ। ସେମାନଙ୍କୁ କେହି ମାନିଲେ ନାହିଁ, ଏବେ ଏ ବିଧାୟକଙ୍କୁ କିଏ ମାନିବେ ବୋଲି ସେ କହିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେଉଁ ବରିଷ୍ଠ ନେତାମାନେ ଉପେକ୍ଷିତ ହେଉଛନ୍ତି ସେମାନଙ୍କୁ ଥଇଥାନ କରିବା, ନିଜ ଦଳକୁ ବଞ୍ଚାଇବା ଓ ଅସନ୍ତୋଷକୁ ଚପାଇ ଦେବା ପାଇଁ ନବୀନ ବାବୁ ସୁଚିନ୍ତିତ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ସାଧାରଣ ଲୋକେ ଉପକୃତ ହେବେ ନାହିଁ।