ମୁଖ୍ୟମନ୍ତ୍ରୀଙ୍କ ମଞ୍ଚକୁ ଅଣ୍ଡା ଫିଙ୍ଗିଥିବା ରାଜେଶ୍ୱରୀଙ୍କୁ ଜାମିନ୍‌ ମିଳିଲା

ବାଲେଶ୍ୱର/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜେଶ୍ୱରୀ କାମିଲାଙ୍କୁ ଜାମିନ ମିଳିଲା। ଏଥିପାଇଁ ଜଳେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ କିଛି ସର୍ତ୍ତ ରଖିଛନ୍ତି। ୧୦,୦୦୦ ଟଙ୍କାର ଦୁଇ ଜାମିନଦାର, ୫୦୦୦ ଟଙ୍କାର ବ୍ୟାଙ୍କ ଜମା ଓ ଭବିଷ୍ୟତରେ କେବେ ହେଲେ ଅଣ୍ଡା ମାଡ଼ ନକରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି। ଏବେ ରାଜେଶ୍ୱରୀ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛି। ଗତକାଲି ଦୁଇ ଜାମିନ୍‌ଦାର ବଦଳରେ ରାଜେଶ୍ୱରୀଙ୍କ ସ୍ୱାମୀ ଦିଲ୍ଲୀପଙ୍କୁ କୋର୍ଟ ଜାମିନ ଦେଇଥିଲେ।

ଗତ ୩୧ ତାରିଖରେ ବାଲେଶ୍ୱର ଜିଲ୍ଲା ତାଳସାରି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ ହୋଇଥିଲା। ସେହି ସମୟରେ ମଞ୍ଚ ଆଗରେ ଉପସ୍ଥିତ ଥିବା କର୍ମୀମାନେ ତାଙ୍କୁ ନିର୍ଧୁମ ଛେଚି ଥିଲେ। ଏପରିକି ତାଙ୍କ ସାଢ଼ୀ ଓ ବ୍ଲାଉଜ୍‌ ଚିରି ଦେଇଥିଲେ। ଉତ୍ତ୍ୟକ କର୍ମୀଙ୍କ ହାତରୁ ରାଜେଶ୍ୱରୀଙ୍କୁ ଛଡ଼ାଇବା ପାଇଁ ପୋଲିସ ନାକେଦମ ହୋଇଥିଲା। ମାଡ଼ ଖାଇବା ପରେ ରାଜେଶ୍ୱରୀ ଗୁରୁତର ଆହତ ହୋଇଥିବାରୁ ଜଳେଶ୍ୱର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ବଡ଼ ମେଡ଼ିକାଲରେ ୮ ଜଣିଆ ଟିମ୍‌ ତାଙ୍କୁ ଚିକିତ୍ସା କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ କରିଥିବାରୁ ରାଜେଶ୍ୱରୀଙ୍କ ବିରୋଧରେ ଲାଗିଲା ଦଫା ୩୦୭ ଅର୍ଥାତ୍ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା ପୋଲିସ। ଏଥିସହ ତାଙ୍କ ସ୍ୱାମୀ ତଥା ବିଜେପି କର୍ମୀଙ୍କୁ ଅପରାଧ ଷଡ଼ଯନ୍ତ୍ର ମାମଲାରେ ପୋଲିସ୍ ଗିରଫ କରିଥିଲା। ମାତ୍ର ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନି। ଏହାକୁ ନେଇ ରାଜ୍ୟ ରାଜନୀତି ହଇଚଇ ସୃଷ୍ଟି ହେବା ପରେ ପୋଲିସ ରାଜେଶ୍ୱରୀଙ୍କ ଉପରୁ ୩୦୭ ଦଫା ଉଠାଇଥିଲା। ଏବେ ତାଙ୍କ ବିରୋଧରେ ଆଇପିସି ଧାରା ୩୫୩, ୩୩୨, ୨୯୪ ଓ ୫୦୬ ରେ ମାମଲା ରୁଜୁ ହୋଇଛି।