ଜେଏନୟୁ କର୍ତ୍ତୃପକ୍ଷଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ: ଆତ୍ମହତ୍ୟା ଧମକ ଦେଲେ ଦଳିତ ଓଡ଼ିଆ ଛାତ୍ର

ନୂଆଦିଲ୍ଲୀ: ପୁଣି ଜଣେ ଦଳିତ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ। ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦଳିତ ଛାତ୍ର ଏପରି ଅଭିଯୋଗ ଆଣି ଆତ୍ମହତ୍ୟା କରିବା ଘଟଣା ମନରୁ ଯାଇ ନ ଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ଜବାହାର ଲାଲା ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଓଡ଼ିଆ ଦଳିତ ଛାତ୍ର ମଦନ ମେହେର ଖୋଲାଖୋଲି ଆତ୍ମହତ୍ୟା ଧମକ ଦେବା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ମଦନ ଜେନେୟୁ ବିଶ୍ୱବିଦ୍ୟାଳୟର ପ୍ରଶାସନ ବିରୋଧରେ ଜାତିଆଣ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସପ୍ତାହକ ମଧ୍ୟରେ ତାଙ୍କୁ ରିସର୍ଚ୍ଚ ଫେଲୋସିପ୍ ବୃତ୍ତି ପ୍ରଦାନ କରା ନ ଗଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଏ ନେଇ ସେ ବିଶ୍ୱବିଦ୍ୟାଳୟ ଭିସି ଓ ଡିଜିଙ୍କୁ ଜଣାଇ ଦେଇଛନ୍ତି।

ମଦନ ମେହେର ହେଉଛନ୍ତି ସମ୍ବଲପୁର ଜିଲ୍ଲା ଧୁମା ଗାଁର ବାସିନ୍ଦା। ଜୋତା କାମ କରି ସେ ରାଜନୀତି ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିବା ପରେ ଜେନେୟୁରେ ଗବେଷଣା କରୁଛନ୍ତି।