ପୁଣି ବଦଳିଲା ଯୁବ କଂଗ୍ରେସର ଗର୍ଜନ ସମାବେଶ ତାରିଖ

ଭୁବନେଶ୍ୱର: ପୁଣି ଥରେ ଯୁବ କଂଗ୍ରେସ ଗର୍ଜନ ସମାବେଶ ତାରିଖକୁ ପରିବର୍ତ୍ତନ କରିବାକୁ ପଡିଛି। ଏଆଇସିସି ଚାପରେ ଫେବୃୟାରୀ ୨ ତାରିଖ ଦିନ ରାଜଧାନୀରେ ହେବାକୁ ଥିବା ସମାବେଶ ବାତିଲ ହୋଇଛି। ଏହି ଦିନ ପିସିସି ପକ୍ଷରୁ ମନରେଗା ଯୋଜନାର ୧୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେଉଥିବାରୁ ଯୁବ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି। ୧୫ ତାରିଖରେ ପୁଣି ସମାବେଶ ପାଇଁ ଯୁବ କଂଗ୍ରେସ ପକ୍ଷରୁ ସ୍ଥିର କରାଯାଇଛି। ତେବେ ୨ ତାରିଖରେ ଯୁବ କଂଗ୍ରେସ ପକ୍ଷରୁ ସମ୍ମାନ ରକ୍ଷା ପାଇଁ ପ୍ରସ୍ତୁତି ବୈଠକ କରାଯିବ ବୋଲି ଜଣାପଡିଛି।

ପିସିସି ସମନ୍ୱୟ କମିଟି ସଦସ୍ୟ ଲୁଲୁ ମହାପାତ୍ର ଚାହୁଁଥିଲେ ୨ ତାରିଖରେ ଯୁବ କଂଗ୍ରେସର ଗର୍ଜନ ସମାବେଶ ହେଉ। ତେବେ ଚର୍ଚ୍ଚା ହେଉଛି ସଭାପତିଙ୍କ ସହ ଅନ୍ୟ କିଛି ନେତାଙ୍କର ଏଥିରେ ସହମତି ନ ଥିଲା। ସେଥିପାଇଁ ଗର୍ଜନ ସମାବେଶ ନେଇ ମୁହଁ ଖୋଲୁ ନ ଥିଲେ ପିସିସି ସଭାପତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ସେମାନେ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେଥିରେ ମୁଁ ନ ଥିଲି। ମୁଁ ଏପର୍ଯ୍ୟନ୍ତ ଗର୍ଜନ ସମାବେଶ ନେଇ କିଛି କହିଲିଣି କି ବୋଲି ପ୍ରଶ୍ନ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସ ଗୋଟିଏ ଦଳ। ହଜାରେ ଫାଟ ଥିଲେ ବି ଆମେ ଏକ। ୨ ତାରିଖ ମନରେଗା କାର୍ଯ୍ୟକ୍ରମ ପରେ ଯେଉଁ ବୈଠକ ହେବ ସେଥିରେ ସାରା ରାଜ୍ୟରୁ ହଜାର ହଜାର ଯୁବ କଂଗ୍ରେସ ନେତା ଓ କର୍ମୀ ଯୋଗଦେବେ।

ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ କହିଛନ୍ତି, ଗର୍ଜନ ସମାବେଶ ନିଶ୍ଚିତ ହେବ। ଗୋଟିଏ ଦିନରେ ଦଳର ଦୁଇଟି କାର୍ଯ୍ୟକ୍ରମ କରାଯିବା ସମ୍ଭବ ନ ଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଦଳରେ ସମନ୍ୱୟ ରଖିବା ପାଇଁ ପ୍ରଥମ ଥର ପାଇଁ ସମନ୍ୱୟ କମିଟି ଗଠନ ହୋଇଛି। କିନ୍ତୁ ପିସିସି ଓ ଯୁବ କଂଗ୍ରେସ ମଧ୍ୟରେ ସମନ୍ୱୟର ଅଭାବ ଏଥିରୁ ସ୍ପଷ୍ଟ ହୋଇଛି।