ଜଙ୍ଗଲ ନିଆଁ ପରିସ୍ଥିତି ସମ୍ପୂର୍ଣ୍ଣ ଆୟତ୍ତାଧୀନ: ଟାସ୍କଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିମିଳିପାଳ ସମେତ ରାଜ୍ୟର ସମସ୍ତ ଅଂଚଳର ଜଙ୍ଗଲ ନିଆଁ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ଆୟତ୍ତାଧୀନ ରହିଛି ବୋଲି ରାଜ୍ୟସ୍ତରୀୟ ଟାସ୍କଫୋର୍ସ କହିଛନ୍ତି।

ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଓ ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ୨୪ଘଣ୍ଟିଆ ପ୍ରୟାସ ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁକୁ ପ୍ରଶମନ ଓ ଆୟତ୍ତାଧୀନ କରାଯାଇପାରିଛି। ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଟିମ୍‌, ସେମାନଙ୍କର କ୍ଷେତ୍ର ପରିଦର୍ଶନ ସମାପ୍ତ କରିସାରି ରାଜ୍ୟ ସରକାରଙ୍କ ସହ ଏବାବଦରେ ଆଲୋଚନା କରିଛନ୍ତି ଓ ପରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ହ୍ରାସ କରିବା ନିମନ୍ତେ କ୍ଷେତ୍ର ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଓ ସଜାଗ ଅଛନ୍ତି। ଜଙ୍ଗଲ ନିଆଁ ସ୍ଥିତିକୁ ପ୍ରଭାବଶାଳୀ ରୂପେ ପରିଚାଳନା କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ତଥା ସମୁଦାୟଗୁଡ଼ିକର ସଚେତନତା କାର୍ଯ୍ୟକ୍ରମ ସହ ସହଯୋଗ ଓ ସହାୟତା ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଜାରି ରହିଛି ବୋଲି ଟାସ୍କଫୋର୍ସ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲର କେତେକ ଅଂଚଳରେ ଗତ ପ୍ରାୟ ଏକ ମାସ ଧରି ନିଆଁ ଲାଗି ରହିଥିଲା। ଏହି ନିଆଁକୁ ଆୟତ୍ତାଧୀନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ମଧ୍ୟ ଓଡ଼ିଶା ପଠାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।