ଜୁଭେନାଇଲ୍ ଜଷ୍ଟିସ୍ ଆଇନରେ ଥିବା ବ୍ୟବସ୍ଥାର ପାଳନ କରାଯାଉନାହିଁ: ଏଜି

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିକାଶ ଦ୍ୱାରା ପରିଚାଳିତ ଜୁଭେନାଇଲ ହୋମସ ଓ ସ୍ପେଶାଲ ହୋମସଗୁଡ଼ିକର ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ (ଏଜି)। ଗୃହ ବିଭାଗକୁ ଦେଇଥିବା ରିପୋର୍ଟରେ ଜୁଭେନାଇଲ୍ ଜଷ୍ଟିସ୍ ଆଇନରେ ଥିବା ବ୍ୟବସ୍ଥାର ପାଳନ କରାଯାଉ ନ ଥିବା ଦର୍ଶାଇଛନ୍ତି ଏଜି। ଏହାର ନକଲ ଓଟିଭିରେ ହସ୍ତଗତ ହୋଇଛି।

ଏଜି ଦର୍ଶାଇଛନ୍ତି, ସୁଧାର ଗୃହଗୁଡ଼ିକରେ ଅନ୍ତେବାସୀଙ୍କ ପାଇଁ ପର୍ଯ୍ୟାପ୍ତ ଜାଗା ନାହିଁ। ନିୟମ ଅନୁସାରେ ବିଚାରଧୀନ ଓ ଦୋଷୀ ସାବ୍ୟସ୍ତ ଅନ୍ତେବାସୀଙ୍କୁ ଅଲଗା ଅଲଗା ରଖାଯିବା କଥା। ତେବେ ସ୍ଥାନାଭାବରୁ ସମସ୍ତଙ୍କୁ ଏକାଠି ରଖାଯାଉଛି। ଏହାସହ ସୁଧାର ଗୃହଗୁଡ଼ିକର ପରିମଳ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏଜି। ଆବଶ୍ୟକ ସଂଖ୍ୟକ ସିଟିଂ କରାଯାଉ ନ ଥିବାରୁ ବହୁ ସଂଖ୍ୟାରେ ମାମଲା ନିର୍ଦ୍ଦିଷ୍ଟ ସମୟରେ ଫଇସଲା ହୋଇପାରୁନାହିଁ। ଧନ୍ଦାମୂଳକ ଶିକ୍ଷକ, କାଉନସେଲର ଓ ବିଶେଷଜ୍ଞ ନ ଥିବାରୁ ଅନ୍ତେବାସୀଙ୍କ ଥଇଥାନ ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପ୍ରକ୍ରିୟା ବ୍ୟାହତ ହେଉଛି। ଏହାଦ୍ୱାରା ସୁଧାର ଗୃହରୁ ମୁକ୍ତି ପାଉଥିବା ଅନ୍ତେବେସୀଙ୍କ ମଧ୍ୟରୁ ଅଧିକାଂଶ ପୁଣି ବିଭିନ୍ନ ଅପରାଧରେ ସମ୍ପୃକ୍ତ ହେଉଛନ୍ତି। ସୁଧାର ଗୃହକୁ ମୁକ୍ତି ପାଇବା ପରେ ସେମାନେ କୁଆଡେ ଗଲେ ଓ କ’ଣ କଲେ, ତା’ର ଅନୁଧ୍ୟାନ ପାଇଁ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନ ଥିବା ଓ ସେମାନଙ୍କ ଦାୟିତ୍ୱ ନେବା ପାଇଁ କୌଣସି ଅନୁଷ୍ଠାନ ନ ଥିବା ଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଆର.ପି. ସିଂହ କହିଛନ୍ତି, ପୋଲିସ କ୍ରାଇମ ଓ କ୍ରିମିନାଲ ଟ୍ରାକିଂ କାର୍ଯ୍ୟକାରୀ କରିବାକୁ ଯାଉଛି। ଏହା ଜରିଆରେ ବାଳ ଅପରାଧୀମାନଙ୍କ ସମ୍ପର୍କରେ ସୂଚନା ରଖାଯାଇ ପାରିବ। ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟର ତାମିଲ ଦିଆଯାଇଛି।

ସୁଧାର ଗୃହ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଉଦ୍ୟମ କରାଯାଉଥିବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ କହିଛି। ବ୍ରହ୍ମପୁରରେ ନୂଆ ଅବଜରଭେସନ୍ ହୋମ କାମ ସମ୍ପୂର୍ଣ୍ଣ ହୋଇଛି। ରାଉରକେଲାରେ କାମ ୪୦ ଭାଗ ଶେଷ ହୋଇଥିବା ବେଳେ ଅନୁଗୋଲରେ ଏଥିପାଇଁ ୨୮ ଲକ୍ଷ ଟଙ୍କା ଦିଆଯାଇଛି। ସୁଧାର ଗୃହକୁ ଛାଡ଼ ପାଉଥିବା ନାବାଳକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଲାଗି ଇ-ଶିଶୁ ସୂଚନା ନାମକ ଏକ ଅନଲାଇନ ମନିଟରିଂ ସିଷ୍ଟମ ପ୍ରସ୍ତୁତ ହେଉଛି।