କଳାହାଣ୍ଡି ପାଲଟଛି ଲାଲବାହିନୀର ନୂଆ ଠିକଣା

ଭୁବନେଶ୍ୱର: ମାଓବାଦୀମାନେ ସେମାନଙ୍କ ପ୍ରଭାବ ବସ୍ତାର କରିବାରେ ଲାଗିଛନ୍ତି। କେତେକ ନୂଆ ଜିଲ୍ଲାରେ ସେମାନେ ତାଙ୍କର ସଙ୍ଗନଠନକୁ ମଜବୁତ କରିବାରେ ଲାଗିଛନ୍ତି। ଗତ ୩ ବର୍ଷରେ ଅନୁଗୋଳ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ମାଓବାଦୀ ଏବଂ ପୋଲିସ୍‌ ୧୫ ଥର ମୁହାଁମୁହିଁ ହୋଇଛନ୍ତି।

ଲାଲବାହିନୀର ନୂଆ ଠିକଣା ହେଉଛି କଳାହାଣ୍ଡି। ଏହି ଜିଲ୍ଲାର ୧୩ ବ୍ଲକରୁ ୧୧ ବ୍ଲକରେ ନିଜ ଉପସ୍ଥିତି ଜାହିର କରିସାରିଲେଣି ମାଓବାଦୀ।  ଗୋଟିଏ ପରେ ଗୋଟିଏ ନାରକୀୟ କାଣ୍ଡ ଘଟାଉଛନ୍ତି। ପୋଲିସ ମଧ୍ୟ ସେମାନଙ୍କୁ କଡା ଯବାବ ଦେଉଛି। ମିଳିଥିବା ସୂଚନା ମୁତାବକ ଏବେ ସୁଦ୍ଧା ଜିଲ୍ଲାରେ ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ ୧୮ରେ କର୍ଲାପାଟ ଗାଁର ବନମାଳୀ ନାଏକଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିଥିଲେ। ୨୦୧୬ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟା କରିଥିଲେ ମାଓବାଦୀ। ଲାଲବାହିନୀ ତାର କାୟା ବିସ୍ତାର କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାକୁ ଅତି ସମ୍ବେଦନଶୀଳ ମାଓପ୍ରବଣ ଜିଲ୍ଲା ଭାବେ ଘୋଷଣା କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଶୁଭିଲାଣି ମାଓବାଦୀଙ୍କ ପଦଧ୍ୱନୀ। ୨୦୧୩ରେ ଉଲୁଣ୍ଡା ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ମାଓବାଦୀ। ବୀରମହାରାଜପୁରରେ ବି ସେମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଇଛି। ବୌଦ୍ଧ ଜିଲ୍ଲାକୁ ଲାଲକରିଡରରେ ସାମିଲ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ମାଓବାଦୀ। ୨୦୧୫ରୁ ଏହି ଜିଲ୍ଲାରେ ସକ୍ରିୟ ଅଛି ମାଓ ସଂଗଠନ KKBN।  ୨୦୧୫ରେ ବୌଦ୍ଧର ହରଭଙ୍ଗାରୁ ହାର୍ଡକୋର ମାଓବାଦୀ ଜ୍ୟୋତି ମାଡକାମୀ ଓରଫ୍ ସସ୍ମିତା ଗିରଫ ହୋଇଥିଲା। ଏବେ ମଧ୍ୟ ଜିଲ୍ଲାର ଉପାନ୍ତ କୁସଙ୍ଗ, ସାତକୋଶିଆ, ଆଡେଣୀଗଡ଼ ଓ ନାରାୟଣପ୍ରସାଦରେ ମାଓବାଦୀମାନେ ଅଡ୍ଡା ଜମାଛନ୍ତି।