୩୫ ଅନ୍ତେବାସୀଙ୍କୁ କନ୍ୟାଶ୍ରମରେ ଛାଡ଼ି ପଳାଇଲେ ପ୍ରଧାନଶିକ୍ଷକ ଓ ଅନ୍ୟ କର୍ମଚାରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ କାଳିଆକୁଣ୍ଡଳ କନ୍ୟାଶ୍ରମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବିନା ଅନୁମତିରେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଅନ୍ୟ କର୍ମଚାରୀ ଆଶ୍ରମ ଛାଡ଼ି ଚାଲି ଯିବା ପରେ ଗତକାଲି ରାତିରେ ୩୫ ଜଣ ଅନ୍ତେବାସୀ ଆତଙ୍କିତ ହୋଇ ଆଶ୍ରମ ଛାଡ଼ିଥିଲେ। ଗାଁ ଲୋକେ ସେମାନଙ୍କୁ ଆଶ୍ରୟ ଦେଇଥିଲେ। ଆଜି ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଗାଁ ଲୋକେ ଆଶ୍ରମରେ ତାଲା ପକାଇ ଦେଇଥିଲେ। ଏ ସଂପର୍କରେ ସୂଚନା ପାଇଁ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ବିଡିଓ ପରମବ୍ରହ୍ମ ଜୋଶୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଛାତ୍ରୀମାନଙ୍କୁ ଆଶ୍ରମକୁ ଫେରାଇ ନେଇଥିଲେ। ତା’ସହିତ ବିନା ଅନୁମତିରେ ଅନୁପସ୍ଥିତ ଥିବା ପ୍ରଧାନଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ।

ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ଗତକାଲି ସନ୍ଧ୍ୟାରେ ଛାତ୍ରୀମାନଙ୍କୁ ଖାଇବାକୁ ଦିଆଯାଇ ନ ଥିଲା। ଗାଁ ଲୋକେ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିଲେ। ସମସ୍ତ ଛାତ୍ରୀ ସୁରକ୍ଷିତ ଅଛନ୍ତି। କନ୍ୟାଶ୍ରମର ସମସ୍ତ ସମସ୍ୟାର ସମାଧାନ କରିବା ସହିତ ଗାଁ ଲୋକଙ୍କ ସହାୟତାରେ ଏହାକୁ ସୁରୁଖୁରୁରେ ଚଳାଇବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହା ସହିତ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।”