ରତ୍ନଭଣ୍ଡାରରେ ରହିଛି କୋହିନୂର ଭଳି ମୂଲ୍ୟବାନ୍‌ ରତ୍ନ, ନାଁ ତାର କଳିଙ୍ଗ ହୀରା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ବିବାଦ ତୀବ୍ର ହେଉଥିବା ବେଳେ ଗତକାଲି ଅନୁଷ୍ଠିତ ବୈଠକ ପରେ ରତ୍ନଭଣ୍ଡାର ବାହାର ପାର୍ଶ୍ୱ ଯାଞ୍ଚ କରିଛି ASI । ଏଣେ ଭିତର ଭଣ୍ଡାରର ଗହଣାଗୁଡିକ ଗଣତି ଓ ଏହାର ମୂଲ୍ୟାୟନ ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଆବଶ୍ୟକ ପଡିଲେ ଭିତର ପାର୍ଶ୍ୱ ଯାଞ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ସାଧାରଣ ଓଡିଆ ଜନତା ଓ କୋଟିକୋଟି ଜଗନ୍ନାଥ ପ୍ରେମି ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ଏହି ରତ୍ନଭଣ୍ଡାରରେ ରହିଛି  ପ୍ରାଚୀନ ଉତ୍କଳର ଅନେକ ଗୌରବଜ୍ୱଳ ଅତୀତ। ଯାହାକୁ ହୁଏତ ଆପଣ ଜାଣି ନ ଥିବେ।

ପ୍ରାୟତଃ ଭାରତୀୟ ଜାଣିଥିବେ ଯେ, ପଞ୍ଜାବର ରାଜା ରଣଜିତ୍‌ ସିଂ ଥିଲେ ବିଶ୍ୱପ୍ରସିଦ୍ଧ କୋହିନୂର ହୀରାର ଶେଷ ଭାରତୀୟ ସଂରକ୍ଷକ । ସେ ଜଣେ ପ୍ରଚଣ୍ଡ ଜଗନ୍ନାଥ ଭକ୍ତ ଥିବାରୁ ମୃତ୍ୟୁ ପୂର୍ବରୁ ଏହି ହୀରାକୁ ମହାପ୍ରଭୁଙ୍କୁ ସମର୍ପଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସମ୍ଭବତଃ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ଭାରତର ଏହି ବିରଳ ସମ୍ପତ୍ତି ସୁରକ୍ଷିତ ରହିବ ବୋଲି ସେ ଆଶା କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ଏହା କୌଣସି କାରଣରୁ ଓଡିଶା ଆସିପାରି ନ ଥିଲା । ଇଂରେଜମାନେ କଳ କୌଶଳ କରି ଏହି ଦୁର୍ଲଭ ରତ୍ନକୁ ଭାରତରୁ ନେଇ ଯାଇଥିଲେ। ଏବେ ଏହି ପ୍ରସଙ୍ଗଟି ଏକ ବିତର୍କ ହୋଇ ରହିଥିବା ବେଳେ କେତେକ ଗବେଷକ ଏହାକୁ ମାନିବାକୁ ରାଜି ନୁହଁନ୍ତି। କିନ୍ତୁ ରାଜ୍ୟର ସିଂହଭାଗ ଗବେଷଣ ଏହି ପ୍ରସଙ୍ଗଟିକୁ ସ୍ୱୀକାର କରିଛନ୍ତି। ବିଶ୍ୱର ଏହି ଦୁର୍ମୂଲ୍ୟ ହୀରା ଭାରତର ସମ୍ପତି ହୋଇ ମଧ୍ୟ ଭାରତ ପାଖରେ ନାହିଁ । ଏହି କାରଣରୁ ଆମ ସରକାର ଏହାକୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି।

ପାଠକେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରାଚୀର ଭାରତର ଏକ ସୁବିସ୍ତ୍ରୁତ ଖଣ୍ଡରେ ଏକଦା ଉତ୍କଳର ଅଧିକାର ଥିଲା। ବିହାର, ପଶ୍ଚିମବଙ୍ଗ ସହ ସୁଦୂର ବିଶାଖାପାଟନା ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ଉତ୍କଳର ସୀମା। ଏଣୁ ନିସନ୍ଦେହରେ କୁହାଯାଇପାରେ ଯେ, ଓଡିଶା ବିପୁଳ ସମ୍ପତିର ଅଧିକାରୀ ରହିଥିବ ।

ଏବେ ରତ୍ନଭଣ୍ଡାର ବିତର୍କ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଗବେଷଣଙ୍କ ମତରେ ରତ୍ନଭଣ୍ଡାରରେ ରହିଛି କୋହୀନୂର ଭଳି ହୀରାସମୁହ। ଯାହାର ନାଁ ହେଉଛି କଳିଙ୍ଗ ହୀରା। ଏହା ୭ ପ୍ରକାରର। ମହାପ୍ରଭୁଙ୍କ ନାକୁଆସିରେ ୨୧୮ ଲଖାଏଁ ହୀରା କଣି ଲାଗିଥିବା ବେଳେ କଳିଙ୍ଗ ହୀରାଟି ଏହାର ମଧ୍ୟ ଭାଗରେ ଶୋଭା ପାଇଥାଏ। ୫୯୮ ପ୍ରକାର ଅଳଙ୍ଗାର ମଧ୍ୟରେ ଉତ୍କଳର ପ୍ରାଚୀନ ନାମକୁ ବଞ୍ଚାଇ ରଖିବାକୁ ସମ୍ଭବତଃ ଏହି ଦୁମୂଲ୍ୟ ହୀରକୁ ‘କଳିଙ୍ଗ ହୀରା’ ଭାବେ ନାମକରଣ କରାଯାଇଛି।

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବଡସିଂହାର ବେଳେ ଫୁଲ ନିର୍ମିତ କରପଲ୍ଲବ, ହୃଦପଦକ, ନାକୁଆସି, ଚଉସରା ଆଦି ଲାଗି ହୁଅନ୍ତି। ଫୁଲରେ ନିର୍ମିତ ଏହି ଅଳଙ୍କାରଗୁଡିକ ଆକାରରେ ବହୁ ବଡ ହୋଇଥାଏ। ତେବେ ସମ୍ପ୍ରତି ଏହା ଫୁଲରେ ନିର୍ମିତ ହୋଇ ପ୍ରଭୁଙ୍କୁ ଲାଗି ହେଉଥିବା ବେଳେ ଦିନ ଥିଲା ଏହି ନାମରେ ଧାତୁ ଅଳଙ୍କାର ମହାପ୍ରଭୁଙ୍କୁ ଲାଗି ହେଉଥିଲା। ଯେଉଁଥିରେ ଗୋଟିଏ ଲେଖାଏଁ କଳିଙ୍ଗ ହୀରା ଲାଗିଥିଲା। ସମୟ ବଦଳିବା ସହ ଏହାର ସୁରକ୍ଷା ଦୃଷ୍ଟିରୁ କୌଣସି ଗଜପତି ଏଗୁଡିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଥାଇ ପାରନ୍ତି। ଏବେ ଏଗୁଡିକ ରତ୍ନଭଣ୍ଡାର ଭିତରେ ରୁପା ସିନ୍ଦୁକରେ ସାଇତା ହୋଇ ରହିଛି। ୧୯୭୮ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ମରାମତି ଓ ଗଣନା ପରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ସେଥିରେ ଏହି ଦୁର୍ଲଭ କଳିଙ୍ଗ ହୀରା ସମ୍ପର୍କରେ ତଥ୍ୟ ରହିଛି ବୋଲି କହିଛନ୍ତି ଗେବେଷକ ଡଃ. ସୁରେନ୍ଦ୍ର ମିଶ୍ର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।