ଇଟାଲୀ ପର୍ଯ୍ୟଟକଙ୍କୁ ଝୁରୁଛନ୍ତି ଦାରିଙ୍ଗବାଡ଼ିର ସଲମନ୍

ବାଲିଗୁଡ଼ା (ଅଜିତ୍ ନାୟକ): ଇଟାଲୀର ବିଦେଶୀ ପର୍ଯ୍ୟଟକ ପାଉଲୋ ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋ। ଏହି ଦୁଇ ବିଦେଶୀ ପର୍ଯ୍ୟଟକ ୨୦୧୨ ମସିହାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ଆଉ ଏହି ସମୟରେ ମାର୍ଚ୍ଚ ୧୪ ତାରିଖରେ ଉଭୟଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ। ସେତେବେଳର ଏହି ଚର୍ଚ୍ଚିତ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏମିତି କି ଉଭୟଙ୍କୁ ମାଓବାଦୀଙ୍କ କବଳରୁ ମୁକୁଳାଇବା ପାଇଁ ସରକାରଙ୍କୁ ମଧ୍ୟ ନାକେଦମ ହେବାକୁ ପଡିଥିଲା। ହେଲେ ପରବର୍ତ୍ତୀ ସମୟରେ ଉଭୟ ନିଜ ଦେଶ ଇଟାଲୀକୁ ଫେରି ଯାଇଥିଲେ। ଏହାରି ଭିତରେ ଏହି ଘଟଣାକୁ ଦୀର୍ଘ ୯ ବର୍ଷ ପୂରି ଥିଲେ ହେଁ ହେଲେ ଆଜି ବି ସେମାନେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ଭଲ ପାଇବା ଓ ସହାୟତା ପାଇଁ ଆଜିବି ଦାରିଙ୍ଗବାଡି ବ୍ଲକ ଲାମ୍ବାବାନ୍ଦା ଗାଁ ଲୋକେ ତାଙ୍କୁ ଝୁରି ହେଉଛନ୍ତି।

ଏହି ଦୁଇ ବିଦେଶୀ ପର୍ଯ୍ୟଟକ ଇଟାଲୀରେ ଥାଇ କି ଦାରିଙ୍ଗବାଡ଼ି ବ୍ଲକ ଲାମ୍ବାବାନ୍ଦା ଗ୍ରାମବାସୀଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ। ଗାଁରେ ଥିବା ଏକ କୂଅର ଫଳକରେ ବସୁସ୍କୋ ପାଉଲ ଓ କ୍ଲାଉଡିୟ କାଲେଂଜେଲଙ୍କ ନାମ ରହିଛି। ଏହି କୂଅ ସେମାନଙ୍କ ଆର୍ଥିକ ସହାୟତାରେ ଖୋଳାଯାଇଛି। ଯାହା ଦ୍ୱାରା ଲାମ୍ବାବାନ୍ଦା ଗାଁ ଲୋକଙ୍କର ପିଇବା ପାଣିର ସମସ୍ୟା ଏବେ ଦୂର ହୋଇଛି।

ଯେଉଁଠି ସରକାର ଲୋକଙ୍କ ପାଇଁ କିଛି କରିନଥିଲେ, ସେହିଠାରେ ଏହି ଦୁଇ ବିଦେଶୀ ପର୍ଯ୍ୟଟକ କରି ଦେଖାଇଛନ୍ତି। ଅପହରଣ ପୂର୍ବରୁ ବସୁସ୍କୋ ପାଉଲ ପ୍ରତିବର୍ଷ ଲାମ୍ବାବାନ୍ଦା ଅଞ୍ଚଳର ଘଞ୍ଚ ଜଙ୍ଗଲ ସବୁ ବୁଲିବାକୁ ଆସୁଥିଲେ। ଆଉ ଏହି ସମୟରେ ଲାମ୍ବାବାନ୍ଦା ଗାଁ ଲୋକଙ୍କ ପିଇବା ପାଣିର ସମସ୍ୟା ଦେଖି ବିଚଳିତ ହୋଇଥିଲେ। ଆଉ ଅପହରଣରୁ ମୁକ୍ତ ହେବା ପରେ ସେମାନେ ଗାଁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଯେଉଁଥି ପାଇଁ ଆଜି ଅଞ୍ଚଳବାସୀ ଝୁରି ହେଉଛନ୍ତି।

ପିଇବା ପାଣିର ସୁବିଧା ହେଉ ଅବା ନୀରିହ ଆଦିବାସୀଙ୍କ ରୋଗଦୁଃଖରେ ମଧ୍ୟ ସହାୟତାର ହାତ ବଢାଇଛନ୍ତି। ଗାଁର ଦିବ୍ୟାଙ୍ଗ ଯୁବକ ସଲମନ ପ୍ରଧାନଙ୍କ ସହ ବସୁସ୍କୋ ପାଉଲଙ୍କର ଦୀର୍ଘ ଦିନର ବନ୍ଧୁତା ରହିଥିଲା। ଯେତେବେଳେ ପାଉଲୋ ଦାରିଙ୍ଗବାଡି ଅଞ୍ଚଳକୁ ଆସୁଥିଲେ ସେତେବେଳେ ସଲମନ ପ୍ରଧାନକୁ ଭେଟିବାକୁ ଆଦୌ ଭୁଲୁନଥିଲେ। ସଲମନଙ୍କର ହାର୍ଟ ଅପରେସନ ପାଇଁ ପାଉଲୋ ତାଙ୍କୁ ବିଶାଖାପାଟଣା ନେଇ ଚିକିତ୍ସା ମଧ୍ୟ କରାଇଥିଲେ।

ଯେତେବେଳେ ଯାହା ବି କିଛି ଅସୁବିଧା ହେଉଥିଲା, ପାଉଲୋ ସଲମନଙ୍କୁ ସହାୟତାର ହାତ ବଢାଉଥିଲେ। ଏମିତି କି ସଲମନ ଚଲାବୁଲା କରିପାରୁନଥିବା ଯୋଗୁଁ ଘର ପାଖରେ କୂଅ ଖୋଳି ଦେଇଥିବା ଯୋଗୁଁ ଆଜି ସେ ସହଜରେ ଗାଧୋଇ ପାରୁଛନ୍ତି। ଏମିତି ଅନେକ ସହାୟତା ପାଇଥିବା ଯୋଗୁଁ ସଲମନ ସମେତ ସେମାନଙ୍କ ପରିବାର ଉଭୟ ଇଟାଲୀ ପର୍ଯ୍ୟଟକଙ୍କୁ ଏବେ ବହୁତ ମନେ ପକାଉଛନ୍ତି।

ଏ ନେଇ ସଲମନ୍ କହିଛନ୍ତି, ପାଉଲୋ ଓ କୋଲାଞ୍ଜେଲ ମୋ ପାଇଁ ଭଗବାନ୍। ମୁଁ ଚାଲିପାରେ ନାହିଁ। ଯେତେବେଳେ ସେମାନେ ମୋତେ ଦେଖିଲେ, ମୋ ଅବସ୍ଥା ଦେଖି କାନ୍ଦି ପକାଇଥିଲେ। ସେମାନେ ମୋତେ ସହାୟତା କରିବାକୁ ଆଗେଇ ଆସିଥିଲେ। ମୋ ପାଇଁ ଦୁହେଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ। ସେମାନେ ପୁଣି କେବେ ଆମ ଗାଁକୁ ଆସିବେ କି ନାହିଁ, ତାହା ମୁଁ ଜାଣିନାହିଁ। ଆଉ ସେମାନେ ମୋ ପାଇଁ ଏହି ଯୋଉ ନଳକୂଅ କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଲାଭଦାନ ହେଉଛି। ସେମାନଙ୍କ ସ୍ନେହ ଓ ସହାୟତାକୁ ଆମେ କେବେବି ଭୁଲିପାରିବୁ ନାହିଁ ବୋଲି କହିଛନ୍ତି ସଲମନ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।