କାନ୍ଧରେ ଶବ ବୁହା ଘଟଣାରେ ମନ୍ତ୍ରୀଙ୍କ ଉତ୍ତର ଅରାଜକତାକୁ ସ୍ପଷ୍ଟ କରୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଦାନ ମାଝି ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ଲିଖିତ ଉତ୍ତରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ଟ୍ୱିଟ୍‌ କରି ଧର୍ମେନ୍ଦ୍ର କହିଛନ୍ତି,“ଗାଡି ସହାୟତା ମାଗି ନ ଥିବା କାରଣରୁ ଶବ ବୋହିବା ପାଇଁ ଦାନଙ୍କୁ ଗାଡି ନ ମିଳିବା କି ପ୍ରକାର ସୁଶାସନର ମଡେଲ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ରାଜ୍ୟରେ ଅରାଜକତାକୁ ସ୍ପଷ୍ଟ କରିଛି।”

ଧର୍ମେନ୍ଦ୍ର କହିଛନ୍ତି,“ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଲିଖିତ ଉତ୍ତରକୁ ଉପସ୍ଥାପନ କରି ସରକାରଙ୍କ ମୁଣ୍ଡରୁ ସମ୍ପୂର୍ଣ୍ଣ ଦାୟିତ୍ୱ ହଟାଇ ଦେଇଛନ୍ତି। ଘଟଣା ଦିନ ଦାୟିତ୍ୱରେ ଥିବା ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସକୁ ଚାକିରିରୁ ବାହାର କରି ଦିଆଯାଇଥିବା ବେଳେ ସୁରକ୍ଷା ସେବା ଯୋଗାଉଥିବା ଏଜେନ୍ସିକୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି। ଠିକା ନର୍ସ ଓ ବେସରକାରୀ ସୁରକ୍ଷା ଏଜେନ୍ସି ମୁଣ୍ଡରେ ଦୋଷ ଲଦି ସରକାର ନିଜକୁ ନିର୍ଦ୍ଦୋଷ କହିବା କେତେ ଯୁକ୍ତିଯୁକ୍ତ।”