୩ ମାସ ପରେ କେବିକେ ଜିଲ୍ଲାରେ ଆରମ୍ଭ ହେଲା ଭ୍ରାମ୍ୟମାଣ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର: ତିନି ମାସ ପରେ ୪ଟି କେବିକେ ଜିଲ୍ଲାରେ ଆରମ୍ଭ ହୋଇଛି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କିଙ୍ଗ୍ ସେବା। ତିନି ମାସ ତଳୁ ଏହି ଯୋଜନା କାର୍ଯ୍ୟକାରୀ ହେବାର ଥିଲା। ହେଲେ ଏହା ଆରମ୍ଭ ହୋଇ ପାରି ନ ଥିଲା। ଫଳରେ ଭ୍ରାମ୍ୟମାଣ ସେବା ଯୋଗାଇବାକୁ ପ୍ରସ୍ତୁତ ଥିବା ବସଗୁଡ଼ିକ ପଡ଼ି ରହିଥିଲା। ଏ ନେଇ ନଭେମ୍ୱର ୨୭ରେ ‘ଓଟିଭି’ରେ ଖବର ପ୍ରସାରଣ ପରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଆଜି ଜୟପୁର ସ୍ଥିତି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କେସିସିବି ପରିସରରୁ ୪ଟି ବସ୍ ୪ଟି ଅଞ୍ଚଳକୁ ଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ମିଳିତ ଭାବେ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଯୋଜନା କାର୍ଯ୍ୟକାରୀ ହେବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନ୍ତର୍ଗତ ରାୟଗଡ଼ାର ପଦ୍ମପୁର, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା, ମାଲକାନଗିରି ଜିଲ୍ଲାର କୁଡମୁଲଗୁମ୍ମା ଓ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଲୋକେ ଘର ପାଖରେ ବ୍ୟାଙ୍କ ସୁବିଧା ପାଇପାରିବେ। ସେପଟେ ଅନ୍ୟ ବ୍ୟାଙ୍କର ପରିଚାଳକମାନେ ଚାହିଁଲେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କେସିସିବି ସଭାପତି କହିଛନ୍ତି।