କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳର ଆମେରିକା ଗସ୍ତ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ୧୭ ଜଣିଆ ଭାରତୀୟ ପ୍ରତିନିଧି ଦଳ ଆମେରିକା ଗସ୍ତ କରିଛନ୍ତି। ଆମେରିକାର ୱାସିଙ୍ଗଟନ୍ ଡିସିଠାରେ ହେବାକୁ ଥିବା ୨୧ତମ ଭାରତ- ଆମେରିକା ଟ୍ରାକ୍-୨ ଆଲୋଚନାରେ ଅଧ୍ୟକ୍ଷତା କରିବେ ସାଂସଦ ବୈଜୟନ୍ତ ପଣ୍ଡା। ଆଲୋଚନାରେ ଉଭୟ ଦେଶର ରାଜନେତା, କୁଟନୀତିଜ୍ଞ, ବରିଷ୍ଠ ସାମ୍ୱାଦିକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଭାରତ ସରକାରଙ୍କ ବୈଦେଶିକ ନୀତିର ପ୍ରାଥମିକତା, ପାକିସ୍ତାନ, ଆଫଗାନିସ୍ତାନ,  ଚୀନ, ବାଣିଜ୍ୟ,  ପ୍ରତିରକ୍ଷା ଓ ଅର୍ଥନୈତିକ ସମ୍ପର୍କ ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ଭାରତୀୟ ପ୍ରତିନିଧି ଦଳ ୱାସିଙ୍ଗଟନ ଠାରେ ଆମେରିକାର କୁଟନୀତିଜ୍ଞ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟସଭା ସାଂସଦ ଏନ.କେ. ସିଂହ, ଟାଇମ୍ସ ଅଫ୍ ଇଣ୍ଡିଆ କୁଟନୈତିକ ସମ୍ପାଦକ ଇନ୍ଦ୍ରାଣୀ ବାଗଚି ଓ ବରିଷ୍ଠ ସାମ୍ୱାଦିକ ତଥା ସ୍ତମ୍ୱକାର ଅଶୋକ ମଲ୍ଲିକ ପ୍ରମୁଖ ଅଛନ୍ତି।