ବଢୁଛି କେନ୍ଦ୍ରାପଡ଼ାରେ ଟେଣ୍ଡର ମାଫିଆଙ୍କ ରାଜ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଟେଣ୍ଡର ମାଫିଆଙ୍କ ରାଜ୍ ଦିନକୁ ଦିନ ବଢି ଚାଲିଛି। ଜିଲ୍ଲାରେ ବ୍ୟାପକ ଟେଣ୍ଡର ଫିକ୍ସିଂ ହେଉଥିବା ଅଭିଯୋଗ ଆସିବା ସହ ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି। ସେହିପରି ଟେଣ୍ଡର ଫିକ୍ସିଂକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଗ୍ୟାଙ୍ଗୱାର। ଗତକାଲି ଏହାର ଶିକାର ହୋଇଛନ୍ତି ଆଉ ଜଣେ ଠିକାଦାର। ଟେଣ୍ଡର ଫିକ୍ସିକୁ ନେଇ ରବିବାର ଜଣେ ଠିକାଦାରଙ୍କ ହତ୍ୟା ପରେ ପୁଣି ଥରେ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡ଼ା।

ଜିଲ୍ଲାରେ ପୁଣି ଟେଣ୍ଡର ଫିକ୍ସି ସମସ୍ୟା ମୁଣ୍ଡ ଟେକୁଛି। ବିଭାଗୀୟ ଅଧିକାରୀ ଓ ଟେଣ୍ଡର ମାଫଆଙ୍କ ମଧ୍ୟରେ ସଲାସୁତରାକୁ ଏଥିପାଇଁ ଦାୟୀ କରାଯାଉଛି। ଏପରି କି ଟେଣ୍ଡର ଏଷ୍ଟିମେସନ କପି ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ଯିବା ପୂର୍ବରୁ ମାଫିଆଙ୍କ ହାତରେ ପହଞ୍ଚି ଯାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଜିଲ୍ଲା ପ୍ରଶାସନକୁ ବିରୋଧୀ କଂଗ୍ରେସ ଓ ବିଜେପି ଦାୟୀ କରିଛନ୍ତି। କ୍ରାଇମବ୍ରାଞ୍ଚ ଦ୍ୱାରା ଅଭିଯୋଗର ତଦନ୍ତ ପାଇଁ ଉଭୟ ଦଳ ଦାବି କରିଛନ୍ତି।

କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ଯଦି ବାସ୍ତବରେ ଟେଣ୍ଡର ଫିକ୍ସିଂର ଅନ୍ତ ହେଉ ବୋଲି ସରକାର ଚାହୁଁଛନ୍ତି ତେବେ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଆଗ ଚିହ୍ନଟ କରନ୍ତୁ। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

କେନ୍ଦ୍ରାପଡା ବିଜେପି ସଭାପତି ସୁକାନ୍ତ ଦ୍ୱିବେଦୀ କହିଛନ୍ତି, ଟେଣ୍ଡର କପି ପୂର୍ବରୁ ଫିକ୍ସର ଓ ଠିକାଦାରଙ୍କ ପାଖରେ ପହଞ୍ଚି ଯାଉଛି। ଜଳସେଚନ ବିଭାଗ ଓ ଡ୍ରେନେଜ ବିଭାଗ ଏହି ଫିକ୍ସିଂ କରାଉଛନ୍ତି।

ଟେଣ୍ଡର ଫିକ୍ସିଂକୁ ନେଇ ଜିଲ୍ଲାରେ ଶହେରୁ ଅଧିକ ଟେଣ୍ଡର ବାତିଲ ହୋଇଥିବା ବେଳେ ଦୁଇ ଶହ କୋଟିରୁ ଅଧିକ ଟଙ୍କାର ଉନ୍ନୟନମୂଳକ କାମ ବନ୍ଦ ପଡ଼ିଛି। ପୋଲିସ କହିଛି, ଟେଣ୍ଡର ଫିକ୍ସିଂକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଟେଣ୍ଡର ଫିକ୍ସିଂ ଘଟଣା ଉପରେ ନଜର ରଖିବାକୁ ସରକାର ପ୍ରତି ଅଫିସରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଭାଗୀୟ ଅଧିକାରୀମାନେ ନିଜ ଚ୍ୟାମ୍ୱରରେ ସିସିଟିଭି ନ ଲଗାଇ ଚ୍ୟାମ୍ୱର ବାହାରେ ଲଗାଉଥିବା ଅଭିଯୋଗ ହେଉଛି।

କେନ୍ଦ୍ରାପଡା ସେବା ସମିତି ସଭାପତି ମନୋଜ ନାୟକ କହିଛନ୍ତି, ପ୍ରଶାସକ ଓ ଫିକ୍ସର ଏଥିପାଇଁ ଦାୟୀ। ଏହାଦ୍ୱାରା ସାଧାରଣ ଲୋକଙ୍କ ବହୁ କ୍ଷତି ହେଉଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।