ଆନ୍ଧ୍ର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ୩୦ ଦାଦନ ଶ୍ରମିକ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଆନ୍ଧ୍ରପ୍ରଦେଶର ରାଜମୁଣ୍ଡ୍ରିରୁ ୩୦ ଜଣ ଯୁବତୀ ଓ ମହିଳା ଉଦ୍ଧାର ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହସ୍ତକ୍ଷେପ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲି ଗ୍ରାମର ୩୦ଜଣ ଯୁବତୀ ଓ ମହିଳା ଶ୍ରମଜୀବୀ ଦାଦନ ଘଟିବା ପାଇଁ ସ୍ଥାନୀୟ ଠିକାଦାର ଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶର ପାଲକେଲା ଯାଇଥିଲେ।

ଏହି କମ୍ପାନୀରେ ଦୀର୍ଘମାସ ହେବ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ ଧରି କାମ କରୁଥିଲେ ମଧ୍ୟ ସେମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଉପଯୁକ୍ତ ପ୍ରାପ୍ୟ ଦେଉନଥିଲେ। ଏହା ସହିତ ନାନା ପ୍ରକାର ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ। ଏମାନଙ୍କୁ ନେଇଥିବା ଠିକାଦାରଙ୍କୁ ଏ ସମ୍ବନ୍ଧରେ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଏପରିକି ସେମାନଙ୍କୁ ଘରକୁ ଆସିବା ପାଇଁ ଛଡା ଯାଉନଥିଲା।

ତେବେ ସେଠାରେ କାର୍ଯ୍ୟରତ ମହିଳା ଜଣେ କୌଶଳ କ୍ରମେ ଖସି ଆସି ପରିବାରକୁ ଜଣାଇଥିଲେ। ଗ୍ରାମରୁ ମହିଳାଙ୍କ ପରିବାର ସଦସ୍ୟ ଜିଲ୍ଲା ପ୍ରଶାସନକୁ ଭେଟି ଥିଲେ। ପ୍ରଶାସନ ପାଖରୁ ସେଭଳି କିଛି ଆଶ୍ୱାସନା ନମିଳିବାରୁ ଗ୍ରାମରୁ କିଛି ଲୋକ ଫସିଥିବା ପରିବାରର ସଦସ୍ୟ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ଗାଁ ଲୋକେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ହରିଚନ୍ଦନକୁ ଭେଟି ସମସ୍ତ ସମସ୍ୟା ସମ୍ପର୍କରେ ଜଣାଇ ମହିଳା ଓ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।

ରାଜ୍ୟପାଳ ସଙ୍ଗେ ସଙ୍ଗେ ଏଲୁରୁ ଏସପିଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇ ଥିଲେ। ଏସପିଙ୍କ ସାହାଯ୍ୟ ସହଯୋଗରେ ଯୁବତୀ ମହିଳାମାନେ କେନ୍ଦ୍ରାପଡା ନିଜ ଗାଁ କୁ ଫେରିଥିଲେ। ମହିଳାମାନେ ଉଦ୍ଧାର ହେବା ପରେ ସେମାନଙ୍କ ପରିବାର ସଦସ୍ୟ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।