ପ୍ରତିଭା ଭରପୂର, ନାହିଁ କ୍ରୀଡ଼ା ଭିତ୍ତିଭୂମି

କେନ୍ଦ୍ରାପଡ଼ା (ବନମାଳି ସାହୁ/ ମନୋଜ ସ୍ୱାଇଁ): ରାଜ୍ୟରେ ଅନେକ ପ୍ରତିଭାବାନ ଫୁଟବଲର ଅଛନ୍ତି। ବିଶେଷକରି କେନ୍ଦ୍ରାପଡ଼ାରୁ ବହୁ ପ୍ରତିଭା ସମ୍ପନ୍ନ ଫୁଟବଲ ଖେଳାଳି ସୃଷ୍ଟି ହୋଇ ଆଜି ଅନ୍ତଜାର୍ତୀୟ ଓ ଜାତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରିଛନ୍ତି। ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଏବେ କ୍ରୀଡ଼ା ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳିଛି। ଏହି ଅଭାବ କାରଣରୁ ଜିଲ୍ଲାରେ ପ୍ରଚୁର ପ୍ରତିଭା ଥାଇକି ବି ଫୁଟବଲରେ ବିକାଶ ହୋଇପାରୁନାହିଁ।

କେନ୍ଦ୍ରାପଡା ଜିଲ୍ଲା ଆଳିର ମିନି ଷ୍ଟାଡିୟମ ବହୁ ଫୁଟବଲ ଖେଳାଳି ସୃଷ୍ଟି କରିଛି। ଏଠାରୁ ଯେ କେବଳ ଓଡିଶା ପାଇଁ ନୁହେଁ ବରଂ ଭାରତକୁ ଦେଇଛି ଅନେକ ଫୁଟବଲ ପ୍ରତିଭା, ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଦୀର୍ଘବର୍ଷ ଧରି ଏହା ରାଜ୍ୟ ଫୁଟବଲର ଅନ୍ତୁଡିଶାଳ ଭାବେ ପରିଚୟ ହାସଲ କରିଛି।

ପ୍ରତିଦିନ ଏଠାକୁ ୪୦ରୁ ୫୦ ମହିଳା ପ୍ରଶିକ୍ଷଣ ପାଇଁ ଆସିଥାନ୍ତି। ହେଲେ ଏବେ ଏହି ଉଦୀୟମାନ ପ୍ରତିଭାଙ୍କ ବିକାଶରେ ବାଧକ ସାଜିଛି ଅବହେଳିତ ଉତ୍ତମ ଭିତ୍ତିଭୂମିର ଅଭାବ ଓ ପେସାଦାର ପ୍ରଶିକ୍ଷକଙ୍କ ଅନୁପସ୍ଥିତି। ଯେଉଁକାରଣରୁ ଏମାନଙ୍କୁ ନା ଅଭ୍ୟାସ ପାଇଁ ପ୍ରଚୁର ସଂଖ୍ୟାରେ ଫୁଟବଲ ମିଳିପାରୁଛି ନା ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ମିଳୁଛି।

ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଜଣେ ସଂଘମିତ୍ରା ମଲ୍ଲିକ ନାମକ ଫୁଟବଲ୍ ଖେଳାଳି କହିଛନ୍ତି, ପ୍ରାକ୍ଟିସ୍ ପାଇଁ ଆବଶ୍ୟକ ବଲ୍ ମହଜୁଦ୍ ନାହିଁ। ତା’ ଛଡ଼ା ଗୋଟିଏ ଜୋତା ମାସେ ଓ ଦୁଇମାସ ଭିତରେ ଖରାପ ହୋଇଯାଉଛି। ଅନ୍ୟତମ ଫୁଟବଲ୍ ଖେଳାଳି କ୍ରିଷ୍ଣା ବାରିକ କହିଛନ୍ତି, ଏଠାରେ ଗୋଟିଏ ସ୍ପୋର୍ଟ୍ସ ହଷ୍ଟେଲେ ନିର୍ମାଣ କରାଗଲେ, ଭଲ ହୁଅନ୍ତା। ଏହା ହେଲେ ସମସ୍ତେ ଭଲଭାବେ ପ୍ରାକ୍ଟିସ କରିପାରିବେ।

ସେହିପରି ଫୁଟବଲ କୋଚ୍ ସୁଶାନ୍ତ ମଲ୍ଲିକ୍ କହିଛନ୍ତି, କୋଚିଂ ପାଇଁ ଯେଉଁ ମଡର୍ଣ୍ଣ ସିଷ୍ଟମ୍ ଆସିଲାଣି, ତା’ର ସମ୍ପୂର୍ଣ୍ଣ ଅଭାବ ଏଠାରେ ରହିଛି। ଖେଳ ପାଇଁ ଯେଉଁ ଉପକରଣ ସବୁ ଦରକାର ଯେପରି କୋନ୍, ଲ୍ୟାଡର, ବୁଟ୍, ବଲ, ଟ୍ରାକ୍ ସୁଟ୍ ଆଦିର ଅଭାବ ରହିଛି। ସରକାର ଏଥିପ୍ରତି ନିଶ୍ଚିତ ଚିନ୍ତା କରିବା ଦରକାର।

ଦୀର୍ଘ ୨୦ ବର୍ଷ ହେଲା ଆଳି ଆଥଲେଟିକ୍ସ ଆସୋସିଏସନ ଅଧୀନରେ ଥିବା ଏହି ଷ୍ଟାଡିୟମ ମହିଳା ଫୁଟବଲରଙ୍କୁ ନିରବଛିନ୍ନ ଭାବେ ପ୍ରଶିକ୍ଷଣ ଦେଇଆସୁଛି। ଆଖ ପାଖ ଅନେକ ଗାଁରୁ ଏଠାକୁ ଖେଳିବାକୁ ଅନେକ ଝିଅ ଆସୁଥିବାରୁ ଏକ ସ୍ପୋର୍ଟ୍ସ ହଷ୍ଟେଲ ପାଇଁ ମଧ୍ୟ ଦାବି ଉଠିଛି। ସେପଟେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବା ଏବଂ ସ୍ପୋର୍ଟ୍ସ ହଷ୍ଟେଲ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜିଲ୍ଲପାଳ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।