ସତ୍ୟପାଠରେ ନିଜ ନାଁ ବଦଳରେ ଆଉ ଜଣଙ୍କ ନାଁ ଲେଖି ଅଡୁଆରେ କିଶୋର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କୁ ବିବାଦ ପିଛା ଛାଡ଼ୁନି। ବାପା ଓ ପତ୍ନୀଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ପରେ ନିର୍ବାଚନୀ ସତ୍ୟପାଠରେ ନିଜ ନାଁ ଲେଖିବା ବଦଳରେ ଅନ୍ୟ ଜଣଙ୍କ ନାଁ ଲେଖିଛନ୍ତି କିଶୋର। ଏହାକୁ ନେଇ ଏବେ ସେ ପୁଣି ଅଡୁଆ ଭିତରକୁ ଟାଣି ହୋଇ ଆସିଛନ୍ତି।

୨୦୧୪ ବିଧାନସଭା ନିର୍ବାଚନ ବେଳେ ଦାଖଲ ହୋଇଥିବା ସତ୍ୟପାଠର ଶେଷ ପୃଷ୍ଠାରେ ଥିବା ଯାଞ୍ଚ ସ୍ୱୀକାରୋକ୍ତି ବେଳେ କିଶୋର ନିଜ ନାଁ ଲେଖିବା ସ୍ଥାନରେ ଲେଲିନ ଲେଙ୍କା ଲେଖିଛନ୍ତି। ସତ୍ୟପାଠରେ ଦିଆଯାଇଥିବା ତଥ୍ୟ ସତ ଓ ନିଜ ଜାଣତରେ କରିଛନ୍ତି ବୋଲି କହିବା ବେଳେ ଦସ୍ତଖତ କରିଛନ୍ତି କିଶୋର। କେନ୍ଦ୍ରାପଡ଼ାର ନୋଟାରୀ ରାଧାଶ୍ୟାମ ଚାନ୍ଦ ବିଧାୟକଙ୍କ ଏହି ସତ୍ୟପାଠ କରିଥିଲେ।

ଅନ୍ୟପକ୍ଷରେ ଭୁଲ ଥିବା ସତ୍ତ୍ୱେ କେନ୍ଦ୍ରାପଡା ଜିଲ୍ଲାପାଳ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଏହାକୁ ବୈଧ ବୋଲି ସ୍ୱୀକୃତି ଦେଇଥିଲେ। ଏପରି ଗୁରୁତର ତୃଟିକୁ ନେଇ କଂଗ୍ରେସ ବିଧାୟକ ତରାଇଙ୍କୁ ଘେରିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ବିଜେଡି ବିଧାୟକ କିଶୋର ତରାଇ ନିଜ ନାଁ ପରିବର୍ତ୍ତନରେ ହେଉ ବା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେଉ ବହୁ ବେଆଇନ କାମ କରିଛନ୍ତି। ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯାଉ।”

ବିଜେପି ମଧ୍ୟ କିଶୋରଙ୍କ ବେଆଇନ କାମକୁ ନିନ୍ଦା କରିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“କିଶୋରଙ୍କ ବାପା, ପତ୍ନୀ ଓ ନିର୍ବାଚନୀ ସତ୍ୟପାଠରେ ତୃଟି କରିଛନ୍ତି। ଯଥାଶୀଘ୍ର ତାଙ୍କ ବିଧାୟକ ପଦ ରଦ୍ଦ କରାଯାଉ। ଏନେଇ ବିଜେପି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଉପସ୍ଥାପନ କରିବ।”