କେନ୍ଦୁଝରଗଡ଼ ପୌର ପରିଷଦ ଅନାସ୍ଥା ପ୍ରସଙ୍ଗ: ନିର୍ବାଚନ କମିଶନରଙ୍କ ନିକଟରେ ହାଜର ହେଲେ ବିଜେଡିର ୯ ବିଦ୍ରୋହୀ କାଉନସିଲର

କେନ୍ଦୁଝର: ଗତ ଡିସେମ୍ୱର ୨୮ରେ କେନ୍ଦୁଝରଗଡ଼ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟ୍ ଘଟଣାରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ବିଜେଡିର ୯ ବିଦ୍ରୋହୀ କାଉନସିଲର। ସେମାନେ ସମସ୍ତ ତଥ୍ୟପ୍ରମାଣ ସହିତ କମିଶନଙ୍କ ନିକଟରେ ହାଜର ହୋଇଥିଲେ ଓ ନିଜ ପକ୍ଷ ରଖିଥିଲେ। ଫେବ୍ରୁଆରୀ ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କମିଶନ କହିଛନ୍ତି।

ଏହି ମାମଲାରେ ୯ ବିଦ୍ରୋହୀ ବିଜେଡି କାଉନସିଲରଙ୍କ ସମେତ ଗାଦିଚ୍ୟୁତ ଅଧ୍ୟକ୍ଷା, ପୌର ନିର୍ବାହୀ ଅଧିକାରୀ, ନଗର ଉନ୍ନୟନ କମିଶନର ଓ ବିଜେଡିକୁ ମଧ୍ୟ କମିଶନ ନୋଟିସ୍ ଜାରି କରିଥିଲେ।

କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କାଏମ ରହିବା ପରେ ସେ ଅନାସ୍ଥା ଆଣିଥିବା ବିଜେଡିର ୯ ଜଣ ବିଦ୍ରୋହୀ କାଉନସିଲରଙ୍କ ବିରୋଧରେ ଦଳ ବଦଳ ଆଇନ ଲାଗୁ କରିବା ଦାବିରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ବିଦ୍ରୋହୀ କାଉନସିଲରମାନେ ମଧ୍ୟ ନିର୍ବାଚନ କମିଶନଙ୍କଠାରେ ହାଜର ହୋଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ। ସେମାନେ ଦାବି କରିଛନ୍ତି ଯେ ଦଳ ବଦଳ ଆଇନ ଆସିବା ପୂର୍ବରୁ ସେମାନେ ବିଜେଡି ଛାଡ଼ି ସାରିଛନ୍ତି। ଇସ୍ତଫାପତ୍ର ସେମାନେ ଦଳର ମୁଖ୍ୟଙ୍କ ପାଖକୁ ପଠାଇଥିଲେ। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କମିଶନର ଜାନୁଆରୀ ୨୭ରେ ଆବାଶ୍ୟକ ପ୍ରମାଣପତ୍ର ଧରି ତାଙ୍କ ନିକଟରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ।

ସୂଚନାଯୋଗ୍ୟ, କେନ୍ଦୁଝରଗଡ଼ ପୌର ପରିଷଦର ୧୪ ଜଣ ବିଜେଡି କାଉନସିଲଙ୍କର ମଧ୍ୟରୁ ୯ ଜଣ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ପୌରାଧ୍ୟକ୍ଷା ମନଇଚ୍ଛା କାମ କରୁଥିବା ଅଭିଯୋଗ କରି ସେମାନେ ନଭେମ୍ବର ୧୨ ତାରିଖରେ ଆନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଡିସେମ୍ବର ୨୮ ତାରିଖରେ ଏନେଇ ଭୋଟ୍ ହୋଇଥିଲା। ଦଳୀୟ ହୁଇପକୁ ଅବଜ୍ଞା କରି ପୌରାଧ୍ୟକ୍ଷାଙ୍କ ବରୋଧରେ ଭୋଟ୍ ଦେଇଥିଲେ। ଏହାକୁ ରାଜନୈତିକ ହଟଚମଟ ଦେଖା ଦେଇଥିଲା।